ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆଠାରେ ମହାସମାରୋହରେ ପାଳନ କରାଯିବା ନିମନ୍ତେ ଏକ ବୈଠକ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହେଇଯାଇଛି । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଏନ୍.ଏ.ସି. ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଛତ୍ରପୁର ଉପ-ଜିଲ୍ଲାପାଳ ଦେବଦତ୍ତ ମହନ୍ତଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଜାତୀୟ ଉତ୍ସବ ଯାକଜମକରେ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ସମସ୍ତଙ୍କ ଠାରୁ ଆଶା ପ୍ରକଟ କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଭାତଫେରି ଅବସରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ ପୂର୍ବକ ଛତ୍ରପୁର ସହର ପରିକ୍ରମା କରାଯିବ । ଏହି ଜାତୀୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଏବଂ ଇଂରାଜୀ ବକ୍ତୃତା ଓ ପ୍ରବନ୍ଧ, ଦେଶାତ୍ମବୋଧ ସଙ୍ଗୀତ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସ୍ୱାଧୀନତା ଦିବସ ଦିନ ସକାଳ ଘ. ୭.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବହ୍ନ ଘ.୮.୦୦ମି. ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡିକରେ ଜାତୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରି ଦେଶ ସ୍ୱାଧୀନତା ନିମନ୍ତେ ଉତ୍ସର୍ଗ କରିଥିବା ବୀର ପୁରୁଷ ମାନଙ୍କର ସ୍ମୃତି ଚାରଣ କରିବାକୁ କୁହାଯାଇଛି । ପୂର୍ବାହ୍ନ ଘ.୯.୧୫ମି. ସମୟରେ ଛତ୍ରପୁରସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ୍ ପଡିଆ ଠାରେ ମୁଖ୍ୟଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡ୍‌ରେ ମୁଖ୍ୟଅତିଥିଙ୍କ ଅଭିବାଦନ ଗ୍ରହଣ ଆଦି ଅନୁଷ୍ଠିତ ହେବ । ଏହି ପ୍ୟାରେଡ୍ ସକାଶେ ଆୟୋଜିତ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଅପରାହ୍ନ ଘ. ୪.ମି. ସମୟରେ ଛତ୍ରପୁର ସ୍ଥିତ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ (ଜଉଗଡ) ଠାରେ ଦେଶାତ୍ମବୋଧ ବହୁଭାଷୀ କବିତାପାଠୋତ୍ସବ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଅପରାହ୍ନ ଘ.୦୪.୩୦ମି. ସମୟରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଛତ୍ରପୁର ଟାଉନ୍ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରୀକେଟ୍ ମ୍ୟାଚ୍ ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ପ୍ୟାରେଡ୍ ଅଭ୍ୟାସ ଅଗଷ୍ଟ ମାସ ୧୧ ତାରିଖ ଠାରୁ ଆରମ୍ଭ ହେବ । ପ୍ୟାରେଡ୍ ପଡିଆ ପ୍ରସ୍ତୁତି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ସନ୍ଧ୍ୟା ସମୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ବୈଠକରେ ବହୁ ଜିଲ୍ଲା ପଦାଧିକାରୀଙ୍କ ସହ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ, ବ୍ୟାବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନର ମୁଖ୍ୟ, ବରିଷ୍ଠ ନାଗରିକଗଣ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.