ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସାଧାରଣ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ପୋଷ୍ଟାଲ୍ ବ୍ୟାଲଟ୍ ପରିଚାଳନା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ପୋଷ୍ଟାଲ୍ ବ୍ୟାଲଟ୍ର ପରିଚାଳନା ଦିଗରେ ସୁବିସ୍ତୃତ ଆଲୋଚନା କରାଯାଇଛି । ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ପୋଷ୍ଟାଲ୍ ବ୍ୟାଲଟ୍ର ସମସ୍ତ ତଥ୍ୟ ଉପସ୍ଥାପନ କରି କିଭଳି ପରିଚାଳନା କରାଇବେ ତାହା ଅବଗତ କରାଇଥିଲେ । ବିଶେଷ କରି ନିର୍ଦ୍ଧାରୀତ ଫର୍ମ ଗୁଡିକର ପୂରଣ, ଦଳ ଗଠନ, ସାମଗ୍ରୀର ଆବଣ୍ଟନ, ପୋଷ୍ଟାଲ୍ ବ୍ୟଲଟ୍ ଷ୍ଟ୍ରଙ୍ଗରୁମ୍ ପରିଚାଳନା, ସହକାରୀ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କ ଭୂମିକା, ପୋଷ୍ଟାଲ୍ ବ୍ୟାଲଟ୍ ଗୁଡିକରେ ନିର୍ଭୁଲ ମୁଦ୍ରଣ, ବିତରଣ, ସଂଗ୍ରହ, ଗଣତି ଇତ୍ୟାଦି ପ୍ରାଞ୍ଜଳ ଭାବେ ବୁଝାଯାଇଥିଲା । ଏତତ୍ ବ୍ୟତୀତ ବରିଷ୍ଠ, ବୟୋଜ୍ୟେଷ୍ଠ ଓ ଭିନ୍ନକ୍ଷମ ଇଚ୍ଛୁକ ଭୋଟଦାତା ମାନଙ୍କ ଗୃହକୁଯାଇ କିଭଳି ଭୋଟ୍ ସଂଗ୍ରହ ହେବ ସେହି ବିଷୟରେ ମଧ୍ୟ ସୁବିସ୍ତୃତ ବୁଝାଇ ଦିଆଯାଇଥିଲା । ଫର୍ମ ୧୩-କ ପୂରଣ ବେଳେ ସତର୍କତା ଅବଲମ୍ବନ କରିବାପାଇଁ ଜିଲ୍ଲାପାଳ ଅବଗତ କରାଇଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରିଟର୍ଣ୍ଣିଂ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଧୀନା ଦସ୍ତଗୀର, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ସୁଧାଂଶୁ ଭୋଇ, ପୋଷ୍ଟାଲ୍ ସୁପରିନଟେଣ୍ଡେଣ୍ଟ, ପୋଲିସ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।