ଶ୍ରୀ ଶ୍ରୀ ମା’ ରାମଚଣ୍ଡୀଙ୍କ ନୂତନ ମନ୍ଦିର ଓ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରୁ ମାତ୍ର ୭ କିମି ଦୂରରେ ଗଞ୍ଜାମ ବ୍ଲକ୍ ଅଧିନସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ର ଶୀର୍ଷରେ ଅବସ୍ଥାନ କରିଛନ୍ତି ମା’ ରାମଚଣ୍ଡୀ ଦେବୀ । ଗଞ୍ଜାମ ଜିଲ୍ଲାର ବହୁ ପ୍ରାଚୀନ ପୌରାଣିକ ଏବଂ କିମ୍ବଦନ୍ତୀସ୍ଥଳୀ ଶକ୍ତିପୀଠମାନଙ୍କ ମଧ୍ୟରେ ଏହି ଦେବୀଙ୍କ ମହାତ୍ମ୍ୟ ଅନନ୍ୟ, ଅଭିନ୍ନ ଓ ନିଆରା ଅଟେ । ତ୍ରେତୟାଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବନବାସ ସମୟରେ ଏଠାରେ ରହଣୀ କାଳରେ ମା’ଙ୍କ ସ୍ଥାପନା କରି ପୂଜାଆରଧାନା କରି କୃପା ଲାଭ କରିଥିବାର କିମ୍ବଦନ୍ତୀ ରହିଛି । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଦ୍ୱାରା ସ୍ଥାପିତ ଓ ପୂଜିତ ହେତୁ ଏହି ପୀଠର ନାମ ମା’ ରାମଚଣ୍ଡୀ ବୋଲି ଖ୍ୟାତ ରହିଛି । ଦେବୀ ସର୍ବଭୂତେଷୁ ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ଵତୀ ରୂପରେ ଦେବୀ ବିଦ୍ୟମାନ ବୋଲି ଜନମାନସରେ ଦେବୀ ପରିଚିତ । ମା’ଙ୍କର ବିଜେସ୍ଥଳ ମନ୍ଦିର ବହୁପ୍ରାଚୀନ ଅଟେ । ଏହି ମନ୍ଦିରକୁ ୨୦୧୮ ମସିହା ଜୁନ୍‌ ୨୦ ତାରିଖରୁ ଭାଙ୍ଗି ନୂତନ ଭାବେ କାର୍ଯ୍ୟାରମ୍ଭ ହୋଇଥିଲା । ଏହି ଜୀର୍ଣ୍ଣୋଦ୍ଧାର ନୂତନ ମନ୍ଦିର ଓ ପ୍ରାସାଦର ପ୍ରତିଷ୍ଠା ଉତ୍ସବ ନିମନ୍ତେ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ମା’ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇଛି । ଛତ୍ରପୁର ବ୍ଲକ୍, ଗଞ୍ଜାମ ବ୍ଲକ୍ ସବୁ ସ୍ଥାନରୁ ପଣ୍ଡିତ, ସାଧୁସନ୍ଥ, ବ୍ରାହ୍ମଣ, ମହନ୍ତଙ୍କୁ ବୈଧାନିକ ନୀତିରେ ଗୁଆ, ନାରିକେଲ, ପୁଷ୍ପବରଣ ସହ ନିମନ୍ତ୍ରଣ କରାଯାଇଛି । ବିଭିନ୍ନ ସ୍ଥାନରୁ ଏହି ଆଧ୍ୟାତ୍ମିକତା କାର୍ଯ୍ୟ ନିମନ୍ତେ ଦାନ, ଦକ୍ଷିଣା, ଚାନ୍ଦା ଆଦି ଆଦାୟ କରାଯାଇ ଆସୁଛି । ଚଳିତ ମାଘ ମାସ ତା.୬/୨/୨୦୨୩ରିଖରୁ ତା.୧୨/୨/୨୦୨୩ରିଖ ମଧ୍ୟରେ ସାତ ଦିନ ବ୍ୟାପୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଧିବଦ୍ଧ ଭାବେ ପାଳନ ହେଉଅଛି । ଏଥିପାଇଁ ମନ୍ଦିର ପରିଚାଳନା କମିଟି, ଟ୍ରଷ୍ଟ ପକ୍ଷରୁ ଜନସାଧାରଣଙ୍କୁ ସାମୁହିକ ଭାବେ ସହଯୋଗ କାମନା କରାଯାଇଛି ।

Leave A Reply

Your email address will not be published.