ଟାଟା କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍‌ ବାତିଲ କରିବା ଏବଂ ସୋରଡ଼ା ଜଳ ଭଣ୍ଡାରର ପୁନରୁଦ୍ଧାର କରିବା ଦାବି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୂଲ୍ୟା ନଦୀରେ ଟାଟା କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ୍‌ ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲାବାସୀଙ୍କ ଅହେତୁକ କ୍ଷତି ଘଟିବ, ଏହାକୁ ନିଶ୍ଚିତ ଭାବେ ବାତିଲ କରିବା ସାଂଗକୁ ସୋରଡ଼ା ଜଳ ଭଣ୍ଡାରର ପୁନରୁଦ୍ଧାର କରିବା ଦାବି ନେଇ ଚାଷୀ ମୁଲିଆ ସଂଘ, ଓଡିଶା ଅଲ୍‌ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭା ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ, ଗୋଛା ପଂଚାୟତର ପିପଳପଙ୍କା ଠାରେ ଡ୍ୟାମ୍‌ ନିର୍ମାଣ କରି ଋଷିକୂଲ୍ୟା ନଦୀର ପାଣିକୁ ଗୋପାଳପୁରସ୍ଥିତ ଟାଟା ଓ ଅନ୍ୟାନ୍ୟ କମ୍ପାନୀକୁ ଯୋଗାଇବା ପାଇଁ ପୂର୍ବତନ ନବୀନ ସରକାର ପିପଳପଙ୍କା ଠାରେ ୧୦୦୦ କୋଟି ଟଙ୍କାର ଏକ ଡ୍ୟାମ୍ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ନିର୍ମାଣ ହେଲେ ବହୁ ସଂଖ୍ୟକ ଚାଷୀ ଓ ଆଦିବାସୀ ପରିବାର ବିସ୍ଥାପିତ ହେବା ସହିତ ସବୁଜ ବନାନୀ ଓ ଉର୍ବର ଚାଷ ଜମି ଓ ଜଙ୍ଗଲ ସବୁ ଦିନ ପାଇଁ ଡ୍ୟାମ୍‌ ତଳେ ବୁଡ଼ିଯିବ । ଜିଲ୍ଲାର ସୋରଡ଼ା ସମେତ ଧରାକୋଟ, ସାନଖେମୁଣ୍ଡି, ଆସ୍କା, ଶେରଗଡ଼, ପୁରୁଷୋତ୍ତମପୁର, ଛତ୍ରପୁର, ଗୋପାଳପୁର ବ୍ଲକର ଲକ୍ଷ ଲକ୍ଷ ଚାଷୀ ବର୍ଷ ତମାମ ଋଷିକୂଲ୍ୟା ନଦୀରୁ ନିଜ ଚାଷ ଜମିକୁ ପାଣି ନେଇ ଚାଷବାସ କରୁଛନ୍ତି ସେମାନେ ସବୁଦିନ ପାଇଁ ସେଥିରୁ ବଞ୍ଚିତ ହେବେ । ଫଳରେ ଏଠାକାର ଚାଷୀଙ୍କ ସମେତ ନଦୀ କୂଳ ଅବବାହିକାର ସମସ୍ତ ଅଂଚଳର ଚାଷ ଜମିରେ ଅକାଳ ମରୁଡି ପଡିବ ଓ ଚାଷୀଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିବ । ବର୍ତ୍ତମାନ ସୋରଡ଼ା ସମେତ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଭାରତୀୟ ବିରଳ ମୂର୍ତ୍ତିକା, ଗୋଳାବନ୍ଧ ଆର୍ମି କ୍ୟାଣ୍ଟିନ, ପୁରୋଷୋତ୍ତମପୁର, ଗଞ୍ଜାମ, ହୁମ୍ମା ଆଦି ଅଞ୍ଚଳବାସୀ ପାନୀୟ ଜଳ ଓ ଦୈନନ୍ଦିନ ବ୍ୟବହାର ପାଇଁ ଏକମାତ୍ର ଋଷିକୂଲ୍ୟା ନଦୀଜଳ ଉପରେ ନିର୍ଭରଶୀଳ ଅଟନ୍ତି । କିନ୍ତୁ ଟାଟା ଓ ଅନ୍ୟାନ୍ୟ କମ୍ପାନୀର ଆବଶ୍ୟକତା ମେଣ୍ଟାଇବା ପାଇଁ ହେଉଥିବା ପିପଳପଙ୍କା ପ୍ରକଳ୍ପ ଦ୍ୱାରା ଜନସାଧରଣ ପିଇବା ପାଣି, କୃଷି କ୍ଷେତ୍ର ଲାଗି ପାଣି ଟୋପାଏ ପାଇବେ ନାହିଁ । ପାଣି ଅଭାବରେ ଡହଳ ବିକଳ ହେବା ସୁନିଶ୍ଚିତ । ଏହା ସହ କାଳ କାଳରୁ ପ୍ରକୃତି ଦତ୍ତ ଏହି ଚିରଶ୍ରୋତା ନଦୀ ଅଳ୍ପ ଦିନରେ ଶୁଖିଯିବ । ଏଥିରେ ଜୀବଜନ୍ତୁ, ବନ୍ୟଜନ୍ତୁ, ଗାଈ ଗୋରୁ, ବଣ ଜଙ୍ଗଲ ସମେତ ସମସ୍ତ ଜୀବନ ଗଭୀର ଭାବେ ପ୍ରଭାବିତ ହେବ । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପରିବେଶ ମଞ୍ଜୁରୀ, ଜଙ୍ଗଲ ସୁରକ୍ଷା ପାଇଁ ପାଇଥିବା ବିଭିନ୍ନ ପ୍ରକାର ଆଇନଗତ କଟକଣାକୁ ଭଣ୍ଡୁର କରି ଟାଟା କମ୍ପାନୀ ହାତକୁ ଋଷିକୂଲ୍ୟା ନଦୀକୁ ଟେକିଦେବାପାଇଁ ପୂର୍ବ ସରକାର ହୀନ ଉଦ୍ୟମ ଆରମ୍ଭ କରିଥିଲେ । ବର୍ତ୍ତମାନ ରାଜ୍ୟରେ ନୂଆ ବିଜେପି ସରକାର ଶାସନରେ ଆସିଛନ୍ତି । ବିଭିନ୍ନ ଅନୁସୂଚିତ ଜାତି, ଜନଜାତି ଓ କୃଷକ ସମୁଦାୟର ଦାବି ପ୍ରତି ଗୁରୁତ୍ୱର ସହ ଦୃଷ୍ଟି ଦେଇ ଆସୁଛନ୍ତି । କିନ୍ତୁ ପୂର୍ବର ନବୀନ ସରକାରର ଜନବିରୋଧି ନିଷ୍ପତ୍ତିର ପରିବର୍ତ୍ତନ କରିବାକୁ ଆଜି ଉକ୍ତ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏବେ ଋଷିକୂଲ୍ୟା ବଞ୍ଚାଅ ବୋଲି ଆନ୍ଦୋଳନର ମୁଣ୍ଡ ଟେକିଆସିଛି । ଋଷିକୂଲ୍ୟାନଦୀ କେବଳ ଗୋଟିଏ ନଦୀ ନୁହଁ, ଏହା ସମଗ୍ର ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଏକ ଜୀବନରେଖା ଅଟେ । ଆମର ଜୀବନରେଖା ଋଷିକୂଲ୍ୟା ନଦୀର ସୁରକ୍ଷା ସହ ଜିଲ୍ଲାର ଜୀବନ ଜୀବିକା, ବଣ, ଜଙ୍ଗଲ, ପରିବେଶ ଓ ଚିରଶ୍ରୋତା ରୁଷିକୂଲ୍ୟା ନଦୀ ବଞ୍ଚାଇବା ସହିତ ସୋରଡ଼ା ଜଳ ଭଣ୍ଡାରର ପୁନଃରୁଦ୍ଧାର କରିବାକୁ ରାଜ୍ୟ ସରକାରଙ୍କ ଠାରେ ଅନୁରୋଧ କରାଯାଇଛି । ଏହି ଗଣ ପ୍ରତିବାଦରେ ଚାଷୀ ମୁଲିଆ ସଂଘର ଜିଲ୍ଲା ସମ୍ପାଦକ ନିରାକାର ନାୟକ, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଳିକ, ସାଥୀ ଆଇନଜୀବୀ ଅବନୀ କୁମାର ଗୟା, ସାଥୀ ଦୁଃଶାସନ ମଲ୍ଲିକ, ସୂର୍ଯ୍ୟକାନ୍ତ ମଲ୍ଲିକ, ପିତର ପ୍ରଧାନ, ଶ୍ୟାମ ପ୍ରଧାନ, ପଞ୍ଚମୀ ମଲ୍ଲିକ, ଅଶୋକ ପ୍ରଧାନ ପ୍ରମୁଖଙ୍କ ନେତୃତ୍ୱରେ ଏହି ଦାବିର ସ୍ୱର ଉଠାଇଥିଲେ ।

Leave A Reply

Your email address will not be published.