ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୬ତମ ବାର୍ଷିକ ଉତ୍ସବ : ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପ୍ରସ୍ତାବ ପାରିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ଭାଗବତତତ୍ୱ ଆଶ୍ରମ ପରିସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆଜି ୩୬ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ସହ ଇକୋ ସେନସିଟିଭ ଜୋନ୍ର ମାନ୍ୟତା ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଯାଇଛି । ୧୯୮୩ ମସିହାରେ ତତ୍କାଳୀନ କେନ୍ଦ୍ର ଓ ରାଜ୍ୟ ସରକାର ଗନ୍ଧମାର୍ଦ୍ଦନ ପର୍ବତରେ ବକ୍ସାଇଟ୍ ଉତ୍ତୋଳନ ପାଇଁ ବାଲକୋକୁ ୪୭ ବର୍ଷର ଖଣି ପଟା ପ୍ରଦାନ କରିଥିଲେ । ଗନ୍ଧମାର୍ଦ୍ଦନ ପର୍ବତରେ ଖଣି ଖନନ ହେଲେ ଗନ୍ଧମାର୍ଦ୍ଦନ ପାହାଡର ପ୍ରାକୃତିକ ପରିବେଶ, ନଦୀ, ଝରଣା, ଦୁର୍ଲଭ ବନୌଷଧି, ନୃସିଂହନାଥ-ହରିଶଙ୍କର ତୀର୍ଥ କ୍ଷେତ୍ର ଧ୍ବଂସ ହେବା ସହ ଏହି ପାହାଡ ଉପରେ ନିର୍ଭର କରି ଚଳି ଆସୁଥିବା ୫୦ ହଜାର ଜନଜାତି ପରିବାରର ଜୀବିକା ବିପନ୍ନ ହେବାକୁ ଥିବାରୁ ୧୯୮୫ ମସିହାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ନେତୃତ୍ବରେ ବାଲକୋର ଖଣି ପ୍ରକଳ୍ପ ବିରୋଧରେ ଏକ ଜନ ଆନ୍ଦୋଳନ ଆରମ୍ଭ ସହ ପ୍ରବଳ ଜନ ବିରୋଧ ଯୋଗୁଁ ସରକାର ବାଧ୍ୟ ହୋଇ ୧୯୮୯ ମସିହାରେ ବାଲକୋର ଖଣି ପ୍ରକଳ୍ପରୁ ବାତିଲ କରିଥିଲେ । ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଐତିହାସିକ ସଫଳତା ପରେ ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ଯୁବ ପରିଷଦ ବାର୍ଷିକ ଉତ୍ସବ ଭାବେ ପାଳନ କରେ । ଏହି ଅବସରରେ ବଲାଙ୍ଗୀର, ଖପ୍ରାଖୋଲରୁ ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ସଂଗ୍ରାମୀ ନେତା କ୍ଷମାନିଧି ଭୋଇ, ସୁଶୀଳ ଗୁରୁ, ଅମର ବରିହା, ଅଭୟ ତ୍ରିପାଠୀ, ଶତୃଘନ ନାଏକ, ଗଜରାଜ ନାଗ, ବିପ୍ର ବିଶି, ଟିକେଶ୍ବର ଧରୁଆ, ବାସୁ ପୋଡ ପ୍ରମୁଖ ମଶାଳ ଶୋଭାଯାତ୍ରାରେ ଆଜି ଦିନ ୧୧ଟାରେ ନୃସିଂହନାଥ ଠାରେ ପହଞ୍ଚିବା ପରେ ତାଙ୍କୁ ବଜାଗଜା ବଜାଇ ଶତାଧିକ ଗନ୍ଧମାର୍ଦ୍ଦନ ଆନ୍ଦୋଳନକାରୀ ନୃସିଂହନାଥ ସିଂହଦ୍ବାରରୁ ସ୍ବାଗତ କରି ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସେଠାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ପରିଷଦର ଆବାହକ ଦିଲ୍ଲୀପ ବେହେରାଙ୍କ ଅଧ୍ୟକ୍ଷତାରେ ଓ ପୂବର୍ତନ ଆବାହକ ଧୀରେନ୍ ମହାନ୍ତିଙ୍କ ପରିଚାଳନାରେ ସଭା କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା ।
ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ସହ ଏହାକୁ ଇକୋ ସେନସେଟିଭ୍ ଜୋନର ମାନ୍ୟତା ଦେବା, ପାହାଡରେ ଉପଲବ୍ଧ ୨୨ ଶହ ପ୍ରକାର ଦୁର୍ଲିଭ ବନୌଷଧିକୁ ନେଇ ଔଷଧିୟ ଉଦ୍ୟୋଗ ପ୍ରତିଷ୍ଠା, ଅତୀତର ଗନ୍ଧମାର୍ଦ୍ଦନରେ ସ୍ଥାପିତ ବୌଦ୍ଧ ବିଶ୍ବବିଦ୍ୟାଳୟ ଉପରେ ଗବେଷଣା କରିବା, ନୃସିଂହନାଥ – ହରିଶଙ୍କର ପର୍ୟ୍ୟଟନ ସ୍ଥଳିର ବିକାଶ କରିବା ଓ ନୃସିଂହନାଥରୁ ହରିଶଙ୍କର ଭିତରେ ସରକାରଙ୍କ ଦ୍ବାରା ପ୍ରସ୍ତାବିତ ରୋପ ୱେକୁ ତୁରନ୍ତ କାର୍ୟ୍ୟକାରୀ କରିବା ଆଦି ପ୍ରସ୍ତାବ ପାରିତ ହୋଇଥିଲା । ପାହାଡ ପାଦଦେଶରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଆଜୀବନ ସତ୍ୟାଗ୍ରହୀ ଥିବା ସ୍ବର୍ଗତ ଘାସିରାମ ମଲ୍ଲିକ, ମୋଟା ସିଂ ବରିହା, ରାୟଧର ଲୁହାର, ରିପୂନାଥ ପୂଜାରୀ, ରାଧେଶ୍ୟାମ ପଣ୍ତାଙ୍କୁ ମରୋଣତ୍ତର “ଗନ୍ଧମାର୍ଦ୍ଦନ ଗୌରବ” ସମ୍ମାନ ପ୍ରଦାନ କରାଯାଇଥିଲା । ଉତ୍ସବରେ ବିଶେଷ ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାହାସ ବିହାରୀ ସାହୁ, ଜଗଦିଶ ଲୁହା, ଜ୍ୟୋତିର୍ମୟ ସାହୁ, ଡା ଶ୍ରୀକାନ୍ତ ପାଣିଗ୍ରାହୀ, ଭାସ୍ମର ସୁନା, ଡୋଲାମଣି ପାଣ୍ତେ, ଦୀନବନ୍ଧୁ ସାହୁ, ବିଷ୍ଣୁ ଭୋଇ, ଲଳିତ ଜଗତ, ସନ୍ତୋଷ ପାଢୀ, ମୂରଳୀଧର ସାକ୍ରେ, ପଂଚମ ସିଂ ଠାକୁର, ଅଭିମନ୍ୟୁ ନାଗ, ରିତେଶ ସାହୁ, କୈଲାସ ଦିଶ୍ରୀ, ରାଜେନ୍ଦ୍ର ସେଠ, ଡୋଲାମଣି ବଛା, ମନୋଜ ବିଶ୍ବାଳ ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।