
ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ମାଗଣାରେ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରୁଥିବା କହୁଛନ୍ତି ହେଲେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମତଲା ପଞ୍ଚାୟତ ସ୍ଥିତ ଭିର୍କାପଡା ଗାଁର ପ୍ରଶ୍ନ ଛତ୍ରୀଆ(୫୫) । ସୂଚନା ମିଳିଛି ଯେ, ସେ ଦୀର୍ଘ ଦିନ ହେଲାଣି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହା ଫଳରେ ଖଟିଆରେ ଦିନ ବିତୁ ଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଚିକିତ୍ସା ପାଇଁ ନଳିତା ବିଡା ସଦୃଶ ହୋଇଛି ।
ସୂଚନା ମତେ, ଶ୍ରୀ ଛତ୍ରୀଆ ଜଣେ ଖଟିଖିଆ ଦିନ ମଜୁରିଆ ଭାବରେ କାମ କରି ପରିବାର ପୋଷଣ କରୁଥିଲେ ହେଲେ ହଠାତ ଅଜଣା ରୋଗରେ ପୀଡିତ ହୋଇ ଜୀବନ ସହ ସଂଘର୍ଷ କରି ତାଙ୍କ ଜୀବନ କାଟୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଧାର କରଜ ଆଣି ବଲାଙ୍ଗିର ଠାରୁ ଅନେକ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ମଧ୍ୟ କରିଥିଲେ ହେଲେ ସବୁ ଯାକ ଟଙ୍କା ଚିକିତ୍ସାରେ ସରିଗଲା ଶେଷରେ ଭଗବାନଙ୍କ ଉପରେ ଭରଷା କରି ଦିନ ବିତୁଛି । ସରକାରଙ୍କ ପକ୍ଷରୁ ସ୍ୱାମୀ ସ୍ତ୍ରୀଙ୍କୁ ୧୦ କେଜି ଚାଉଳ ମିଳୁଥିବା ବେଳେ ସେତିକିରେ ମାସ ଯାକ ପରିବାରର ଭୋକ ମେଣ୍ଟୁଛି, ଅନେକ ଦିନ ଭୋକ ଉପାସରେ ମଧ୍ୟ ରହୁଥିବା ପରିବାର ଲୋକେ କହିଛନ୍ତି ।
ସୂଚନାନୁସାରେ, ଡାକ୍ତରଖାନାକୁ ଦୌଡ଼ି ଦୌଡ଼ି ସବୁ ଅର୍ଥ ଖର୍ଚ୍ଚ ହୋଇସାରିଛି ଓ ଏବେ ଜୀବନ ଓ ମୃତ୍ୟୁ ଭିତରେ ସଂଗ୍ରାମ କରୁଛନ୍ତି ପ୍ରଶ୍ନ । କିନ୍ତୁ ପ୍ରଶ୍ନଙ୍କ ପାଇଁ ଉତ୍ତର ଦେବ କିଏ ବୋଲି ଏବେ ଅନେକ ଚର୍ଚ୍ଚା । କିଛିଦିନ ତଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ସଇଁନ୍ତଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସା ପାଇଁ ଟଙ୍କାର ଅଭାବ ଯୋଗୁଁ ଘରକୁ ଫେରି ଆସିଥିଲେ । ସେ ଚିକିତ୍ସା ପାଇଁ ଅନେକ ଥର ପ୍ରଶାସନକୁ ଗୁହାରି କରି ସାରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ପରିବାର ଲୋକେ କହିଛନ୍ତି । ତାଙ୍କ ରହିବା ପାଇଁ ଭଲଘର ଖଣ୍ଡିଏ ନ ଥିବା ବେଳେ ଚାଲ ଛପର ଘରରେ ଦିନ କାଟନ୍ତି ଓ ବର୍ଷା ଦିନେ ଘର ଉପରେ ପୋଲିଥିନ ଢାଙ୍କି ରୁହନ୍ତି । ଦିନ ମଜୁରି କାମ କରି ଯାହା ଅର୍ଥ ଥିଲା ତାହା ସବୁ ଚିକିତ୍ସା ବାବଦକୁ ଖର୍ଚ୍ଚ ହୋଇଯିବା ପରେ ଏବେ ଏକ ମାତ୍ର ଭରସା ସରକାର । ତେବେ ପ୍ରଶ୍ନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
