
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାରେ କୃଷକଙ୍କ ଉତ୍ପାଦନ ବୃଦ୍ଧି ସହ ଉପଯୁକ୍ତ ବଜାର ବ୍ୟବସ୍ଥା ପାଇଁ କୃଷକ ଉତ୍ପାଦକ କମ୍ପାନୀମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆଗାମୀ ଦିନରେ ବିଭିନ୍ନ ଫସଲର ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ରହିଥିବା ବିଭିନ୍ନ ସମସ୍ୟାକୁ ଚିହ୍ନଟ କରି ଜିଲ୍ଲା ପ୍ରଶାସନ ସହଯୋଗରେ ତାହାର ସମାଧାନ କରାଯିବ । ନାବାର୍ଡ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଭବାନୀପାଟଣା ସହଭାଗୀ ବିକାଶ ତାଲିମ ଅନୁଷ୍ଠାନରେ ଆୟୋଜିତ କୃଷକ ଉତ୍ପାଦକ କମ୍ପାନୀମାନଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ଏହା କହିଛନ୍ତି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂହଦେଓ । ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡି.ଡି.ଏମ. ନାବାର୍ଡ ମଳୟ ମେହେର କୃଷକ ଉତ୍ପାଦକ କମ୍ପାନୀମାନଙ୍କ ସଦସ୍ୟତା, ଅଂଶଧନ, ତଥା ସ୍ଥାୟୀତ୍ୱ ଉପରେ ଗୁରୁତ୍ବ ଆରୋପ କରିଥିଲେ । କଳାହାଣ୍ଡି ସାମ୍ବାଦିକ ସଂଘ ସଭାପତି କମ୍ବୁ ପାଣି ମିଶ୍ର ଯୋଗ ଦେଇ ଉଦ୍ୟୋଗୀ ତଥା ଆଦର୍ଶ କୃଷକମାନଙ୍କ ସଫଳତାର ପ୍ରଚାର ଓ ପ୍ରସାର ଦ୍ଵାରା ବହୁ କୃଷକ ଆଗେଇ ଆସିପାରିବା ବିଷୟ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ ପଟ୍ଟନାୟକ, ଜନ ସାହାଯ୍ୟ ଅନୁଷ୍ଠାନର ସୀତା ଦେବୀ, ଏ.ଏଫ୍ .ସି ରୁ କୃଷ୍ଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଏକ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ୩୦ ଗୋଟି କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକୁ ସାମର୍ଥ୍ୟ ବିକାଶ କରାଇ କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ସାମିଲ କରାଯିବ । କଳାହାଣ୍ଡି ଜିଲ୍ଲା ସହ ଅବିଭକ୍ତ କୋରାପୁଟ, ଗଞ୍ଜାମ ଓ ନୂଆପଡ଼ା ଜିଲ୍ଲାର ୮୦ ଗୋଟି କୃଷକ ଉତ୍ପାଦକ କମ୍ପାନୀମାନଙ୍କ ସାମର୍ଥ୍ୟ ବିକାଶ କରାଇବା ଦାୟିତ୍ଵ ନାବାର୍ଡ ତରଫରୁ ମହାଶକ୍ତି ଫାଉଣ୍ଡେସନକୁ ଦିଆଯାଇଥିବା ବିଷୟ ଅନୁଷ୍ଠାନର ନିର୍ଦ୍ଦେଶକ ମୋହନ ବଳିଆରସିଂହ ପ୍ରକାଶ କରିଥିଲେ । ତାଲିମ କାର୍ଯ୍ୟକ୍ରମରେ ମହାଶକ୍ତିର କୃଷି ବିଶେଷଜ୍ଞ ମିହିର ରଞ୍ଜନ ସାଗର, କୃଷି ବଜାର ବିଶେଷଜ୍ଞ ଅବିନାଶ ଦାସ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ମିଶ୍ର, ଚାଟାର୍ଡ ଆକାଉଣ୍ଟାଣ୍ଟ ସନ୍ମୟ ମହାପାତ୍ର ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୩୦ ଗୋଟି କୃଷକ ଉତ୍ପାଦକ କମ୍ପାନୀର ପ୍ରତିନିଧି ଯୋଗ ଦେଇଥିଲେ ।