ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’ର ସିଧାପ୍ରସାରଣ ଦେଖିଲେ କେନ୍ଦ୍ରମନ୍ତ୍ରୀ

• ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ‘ଏଗଜାମ ଓ୍ୱାରିୟର୍ସ’ଙ୍କ ଆତ୍ମବିଶ୍ୱାସକୁ ଦୃଢ କରିଛି – ଧର୍ମେନ୍ଦ୍ର ପ୍ରଧାନ
• ନୂଆ ରୂପରେ ପରୀକ୍ଷା ଯୋଦ୍ଧାଙ୍କୁ ମାର୍ଗଦର୍ଶନ, ପ୍ରେରଣା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
• ଜଣେ ବନ୍ଧୁ ବା ପରିବାରର ସଦସ୍ୟ ଭଳି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି
• ପରୀକ୍ଷା ପେ ଚର୍ଚ୍ଚା ଜନଆନ୍ଦୋଳନରେ ପରିଣତ ହୋଇଛି
• ପରୀକ୍ଷା ପେ ଚର୍ଚ୍ଚାର ଚଳିତ ସଂସ୍କରଣରେ ୭ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ମାନସିକ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ନୂଆଦିଲ୍ଲୀର ସୁନ୍ଦର ନର୍ସରୀ ଠାରେ ନୂଆ ରୂପରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା(ପିପିସି)- ୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତବର୍ଷରୁ ବଛା ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କରିବା ସହ ସେମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ପରୀକ୍ଷା ପ୍ରସ୍ତୁତି, ପରୀକ୍ଷାରୁ ଚାପ କମ କରିବା ତଥା ଆଗାମୀ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ଓ ‘ଏଗଜାମ ଓ୍ୱାରିୟର୍ସ’ଙ୍କୁ ଦେଇଥିବା ଉପାଦେୟ ପରାମର୍ଶ ସେମାନଙ୍କ ମନୋବଳକୁ ଅଧିକ ଦୃଢ କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସୋମବାର ନୂଆଦିଲ୍ଲୀର ନ୍ୟାସନାଲ ମିଡିଆ ସେଣ୍ଟରରୁ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାର ସିଧା ପ୍ରସାରଣ ଦେଖିଥିଲେ । ସେ କହିଛନ୍ତି ଯେ ଦେଶର କୋଣ ଅନୁକୋଣରୁ ବଛା ହୋଇଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଜି ଆଲୋଚନା କରିଛନ୍ତି । ଜଣେ ବନ୍ଧୁ, ଅଭିଭାବକ ବା ପରିବାରର ସଦସ୍ୟ ଭଳି ସେ ବିଦ୍ୟାର୍ଥୀମାନଙ୍କ ସହ କଥା ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ମନରେ ଥିବା ଅନେକ ଅସମାହିତ ପ୍ରଶ୍ନର ସେ ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟବ୍ୟସ୍ତତାରେ ଥାଇ ମଧ୍ୟ ସେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଥିବା ପରୀକ୍ଷା ଯୋଦ୍ଧାଙ୍କ ସହ ଆଲୋଚନା କରି ସେମାନଙ୍କୁ ପରୀକ୍ଷାରୁ ଚାପମୁକ୍ତ ହେବାର ମନ୍ତ୍ର ଦେଉଛନ୍ତି, ଯାହା ବହୁତ ଗୁରୁତ୍ୱ ରଖୁଛି । ପରୀକ୍ଷା ପୂର୍ବରୁ ଏହି ଆଲୋଚନା ଛାତ୍ରଛାତ୍ରୀ ଓ ପରୀକ୍ଷା ଯୋଦ୍ଧାଙ୍କୁ ଅନୁପ୍ରାଣିତ କରିଛି । ଦେଶର ପରୀକ୍ଷା ଯୋଦ୍ଧାଙ୍କୁ ମାର୍ଗଦର୍ଶନ, ପ୍ରେରଣା ଏବଂ ସମର୍ଥନ ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ପରୀକ୍ଷା ପେ ଚର୍ଚ୍ଚା ଏବେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଶୁଣିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ଉତ୍କଣ୍ଠା ଓ ଆଗ୍ରହର ସହ ଅପେକ୍ଷା କରିଥା’ନ୍ତି । ଚଳିତ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଦେଶର କଳା, ସାମାଜିକ ଏବଂ ବିଭିନ୍ନ କ୍ଷେତ୍ରର ୭ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ମାନସିକ ସ୍ୱାସ୍ଥ୍ୟ ଓ ଗୋଟିଏ ବିଷୟରେ ଧ୍ୟାନ ଦେବା ଉପରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବେ । ଆଗାମୀ ଦିନରେ ଏହାର ଆହୁରି ଏପିସୋଡ୍ ବା ଅଧ୍ୟାୟ ଆସିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.