jayashree

ଶ୍ରୀ ଗୌରୀଶଙ୍କର ମନ୍ଦିରରେ କାର୍ତ୍ତିକ ମାସ ବ୍ୟାପୀ ସୁନୀତା ଶତପଥୀଙ୍କ ସେବା ଏକ ପ୍ରଶଂସନୀୟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲାୟନ୍ସ କ୍ଲବ ସମ୍ମୁଖରେ ଥିବା ଶ୍ରୀ ଗୌରୀଶଙ୍କର ମନ୍ଦିର ପ୍ରାଙ୍ଗଣରେ ନିର୍ମିତ ଦୀପଯଜ୍ଞ କୁଣ୍ଡରେ ସ୍ଥାନୀୟ ଅଧିବାସୀ ଶ୍ରୀମତୀ ସୁନୀତା ଶତପଥୀଙ୍କ ସେବା ଏକ ପ୍ରଶଂସନୀୟ ଓ ମହନୀୟ ବୋଲି ସାଧାରଣରେ ସାଧୁବାଦ ଦିଆଯାଉଛି । ସୁନୀତା ପ୍ରତିଦିନ ଝୋଟି ପକାଇ ସେବାଦାନ କରିଥିବା ଦେଖିବାକୁ ମିଳିଛି । କାର୍ତ୍ତିକ ମାସ ବ୍ୟାପୀ ଶ୍ରଦ୍ଧାଳୁଙ୍କ ନିମିତ୍ତ ଦୀପପ୍ରଜ୍ଜଳନ ସକାଶେ ଏକ ଦୀପଯଜ୍ଞ କୁଣ୍ଡଟିଏ ନିର୍ମାଣ କରାଯାଇଛି । ଯେଉଁଥିରେ ନିୟମିତ ଭକ୍ତ ମାସିକ ମନ୍ଦିର ପରିଚାଳନା ନିମିତ୍ତ ଆର୍ଥିକ ଅନୁଦାନ ଆକାରରେ ସାହାଯ୍ୟ ପ୍ରଦାନ କରିବା ନିମିତ୍ତ ଗୋଟିଏ ଗୋଟିଏ ରସିଦ ଅନୁଯାୟୀ ଦୀପ ଲଗାନ୍ତି । ଶ୍ରୀମତୀ ଶତପଥୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିବା ସତ୍ତ୍ୱେ ଝୋଟି, ରଙ୍ଗୋଲି, କଳା, ସଂଗୀତ ଉପରେ ତାଙ୍କର ବିଶେଷ ଆଗ୍ରହ ଓ ଇଚ୍ଛାଥିବା ହେତୁ ଏହି କାର୍ଯ୍ୟରେ ସେ ନିୟୋଜିତ ହୋଇ ଆସିଛନ୍ତି । ଏହା ମାଧ୍ୟମରେ ମନ୍ଦିରର ସ୍ୱଳ୍ପ ସେବା କରିବାର ସୁଯୋଗ ପାଇଥିବାରୁ ସେ ମନ୍ଦିର କମିଟିକୁ ପ୍ରଥମେ ସାଧୁବାଦ ଜଣାଇଛନ୍ତି । ଆଜକୁ ପ୍ରାୟ ୧୫ ବର୍ଷ ଧରି ସ୍ୱ-ଇଚ୍ଛାରେ ଉକ୍ତ ମନ୍ଦିରରେ ଏହି ମାସରେ ନିଜର ଶ୍ରମଦାନ କରିଆସୁଥିବା କହିଛନ୍ତି । ଶ୍ରୀ ଶ୍ରୀ ଗୌରୀଶଙ୍କର ମହାପ୍ରଭୁଙ୍କ ଠାରେ ଜଗତର ମଙ୍ଗଳ କାମନା କରିଛନ୍ତି । ମୁଖ୍ୟତଃ ସନାତନ ଧର୍ମାନୁଯାୟୀ ଭଗବାନଙ୍କ ପ୍ରତି ହବିଷିଆଳୀମାନଙ୍କ ଉତ୍ସାହ ଓ ଭକ୍ତଙ୍କ ଭାବାବେଗ ସଦାବେଳେ ଦୀପ-ପ୍ରଜ୍ୱଳନରେ ସନ୍ତୁଷ୍ଟ ଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ । ଏଣୁ ମନ୍ଦିର କମିଟି ଦ୍ୱାରା ଆୟୋଜିତ ସୁସଜ୍ଜିତ ଦୀପଯଜ୍ଞ କୁଣ୍ଡରେ ଭକ୍ତମାନେ ବହୁ ଆଗ୍ରହ ସହ ଅଗଣିତ ଭକ୍ତଙ୍କ ସମାଗମରେ ସାମୂହିକ ଦୀପପ୍ରଜ୍ୱଳନ କରାଯାଉଥିବା ଏକ ନିଆରା ମହନୀୟ ପରମ୍ପରା ଏଠାରେ ଦେଖିବାକୁ ମିଳେ ।

Leave A Reply

Your email address will not be published.