ଗଞ୍ଜାମ ଜିଲ୍ଲାବାସୀ ନିଜ ନିଜ ଆଧାର କାର୍ଡ ସଂଶୋଧନ କରାଇନେବା ଜରୁରୀ : ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁଆଇଡିଏଆଇଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଜନସାଧାରଣ ନିଜ ନିଜ ଆଧାର କାର୍ଡଗୁଡ଼ିକ ବିନା ମୂଲ୍ୟରେ ଅପଡେସନ୍ କରାଇବା ନିହାତି ଜରୁରୀ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଓସ୍ୱାନ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୫ ତାରିଖ ଠାରୁ ଏହି ଅପଡେସନ୍ କାର୍ଯ୍ୟ ଆରମ୍ଭ ହୋଇଛି ଯାହା ଆଗାମୀ ଜୁନ୍ ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବିନା ମୂଲ୍ୟରେ ନିଜର ଆଧାର କାର୍ଡ ଅପଡେସନ୍ କରାଇ ନିଅନ୍ତୁ ବୋଲି ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ଜନସାଧାରଣଙ୍କୁ ଜଣାଇଥିଲେ ।

ଜନସାଧାରଣ ସେମାନଙ୍କର ଆଧାର କାର୍ଡ ଅପଡେସନ୍ ବିନା ମୂଲ୍ୟରେ ନିଜ ମୋବାଇଲ୍ ଦ୍ୱାରା କରାଇ ପାରିବେ । ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ ଡାଟାଏଣ୍ଟ୍ରି ଅପରେଟରମାନଙ୍କ ଠାରେ ମଧ୍ୟ ବିନା ମୂଲ୍ୟରେ ଅପଡେସନ୍ କରିପାରିବେ । ସେବାକେନ୍ଦ୍ର ଗୁଡିକରେ ଜନସାଧାରଣ ୫୦ଟଙ୍କା ଦେୟ ଦେଇ ଅପଡେସନ୍ କରାଇ ପାରିବେ । ନୂତନ ଭାବେ ଆଧାର କାର୍ଡ କରୁଥିବା ବ୍ୟକ୍ତି ବିଶେଷ ବିନା ମୂଲ୍ୟରେ ଆଧାର କାର୍ଡ ନିମନ୍ତେ ପଞ୍ଜିକରଣ କରାଇ ପାରିବେ । ଯେଉଁମାନେ ୧୦ ବର୍ଷ ପୂର୍ବରୁ ଆଧାର କାର୍ଡ କରିଛନ୍ତି ସେମାନଙ୍କ କାର୍ଡରେ ଥିବା ଭୁଲ ତଥ୍ୟକୁ ସଂଶୋଧନ କରାଇ ପାରିବେ ଏବଂ ଅପଡେସନ୍ କରି ପାରିବେ ତେବେ ଯାଇ ନିଜ ଆଧାର କାର୍ଡ ସଠିକ ହୋଇ ବଲବତ୍ତର ରହିବ । ନିଜର ପରିଚୟ ପତ୍ର, ଠିକଣା ପ୍ରମାଣ ପତ୍ର ଅପଲୋଡ୍ କରିଲେ ହିଁ ଆଧାର କାର୍ଡର ତଥ୍ୟ ସଠିକ ହୋଇ ପାରିବ । ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟ ଚାଲୁ ରହିଛି । ଯୋଗାଣ ସହାୟକଗଣଙ୍କ ତତ୍ୱାବଧାନରେ ପଞ୍ଚାୟତ ସ୍ତରରେ ନିଯୁକ୍ତ ଅପରେଟରମାନଙ୍କ ଦ୍ୱାରା ଏହି କାର୍ଯ୍ୟ ଚାଲିଛି । ଜିଲ୍ଲାର ସମସ୍ତ ୫୯୭ ଗୋଟି ଗ୍ରାମ ପଞ୍ଚାୟତର ମୋ ସେବା କେନ୍ଦ୍ରରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେଉଛି ।

ବୈଠକରେ ଜନସାଧାରଣ କିଭଳି ନିଜ ନିଜ ମୋବାଇଲରେ ଦେୟମୁକ୍ତ ସେବା ନେଇ ଅପଡେସନ୍ କରିପାରିବେ ସେଥି ସକାଶେ ଏକ ଭିଡିଓ ପ୍ରଦର୍ଶନ କରାଯାଇ ସମସ୍ତ ବ୍ଲକ୍, ପଞ୍ଚାୟତରେ ଯୋଡି ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲ୍ଲାର ୩୬ ଲକ୍ଷ ଜନସାଧାରଣ ଥିବା ବେଳେ ତନ୍ମଧ୍ୟରୁ ୨୫ ଲକ୍ଷ ଲୋକଙ୍କ ଠାରେ ମୋବାଇଲ ରହିଛି । ଆଧାର ଆପଡେସନ୍ ସକାଶେ ମୋବାଇଲ ନମ୍ବର ଜରୁରୀ । ଯେଉଁମାନଙ୍କର ମୋବାଇଲ ନମ୍ବର ବଦଳିଛି ସେମାନେ ଆଧାର କେନ୍ଦ୍ରକୁ ଯାଇ ନିଜର ମୋବାଇଲ ନମ୍ବର ସଂଯୋଗ କରି ଏହି ସେବା ଉପଲବ୍ଧ କରିପାରିବେ ।

ଜନସାଧାରଣଙ୍କ ଅବଗତି ସକାଶେ ସଚେତନ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ଦୈନିକ କେତେ ଅପଡେସନ୍ କରାଯିବ ତାହାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ପ୍ରତ୍ୟେକ ଦିନର ତଥ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ଜିଲ୍ଲା ମହିଳା ଓ ଶିଶୁ ବିକାଶ ଅଧିକାରୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କଲ୍ୟାଣୀ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର, ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ପ୍ରବନ୍ଧକ ଗୁରୁ ପ୍ରସାଦ ଇ’ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.