ବିସ୍ତାପିତଙ୍କ ବ୍ୟଥା ଶୁଣୁ ନାହାନ୍ତି ସରକାର ଓ ପ୍ରଶାସନ : ଆନ୍ଦୋଳନ ମୁହାଁ ହେବେ ବିସ୍ତାପିତ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ପୂର୍ବତନ ସରକାର ଭୋଟ ଲୋଭରେ ଉଦ୍‌ଘାଟନ କଲେ । ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦେଖି ବିସ୍ତାପିତମାନେ ଅନେକ ସମସ୍ୟା ଥିଲେ ହେଁ ଚୁପ ରହିଲେ । ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ସବୁ ସମାଧାନର ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ବିସ୍ତାପିତଙ୍କ ସମସ୍ୟା ଯଥା ପୂର୍ବଂ ତଥା ପରମ ରହିଛି । ଏପରି ସ୍ଥିତିରେ ଯଦି ବର୍ତ୍ତମାନର ସରକାର ଓ ପ୍ରଶାସନ ପୂର୍ବରୁ ଥିବା ସମସ୍ୟା ଗୁଡିକର ସମସ୍ୟା ସମାଧାନ ନ କରେ ତେବେ ବିଭିନ୍ନ ପୁନର୍ବାସ କଲୋନୀରେ ରହୁଥିବା ବିସ୍ତାପିତମାନେ ଆନ୍ଦୋଳନ ମୁହାଁ ହେବେ ବୋଲି ଆଜି ଝାଙ୍କରପାଲି ସ୍ଥିତ ଲୋୟର ସୁକତେଲ ପୁନର୍ବାସ କଲୋନୀରେ ଲୋକଙ୍କ ସମସ୍ୟାକୁ ନେଇ ଆଲୋଚନା ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହାକୁ ନେଇ ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଧାୟକ ଥିଲାବେଳେ ତତ୍‌କାଳୀନ ପ୍ରଶାସନ ଏବଂ ପ୍ରକଳ୍ପ ଯନ୍ତ୍ରୀମାନେ ପୁନର୍ବାସ ଓ ଥଇଥାନକୁ ନେଇ ଅନେକ ପ୍ରତିଶୃତି ଦେଇଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ । ଯଦି ବି କିଛି ହୋଇଛି ସେଥିରେ ଦୁର୍ନୀତି ହୋଇଥିବାର ଲୋକେ ଅଭିଯୋଗ କରୁଛନ୍ତି । ଉଦାହରଣ ସ୍ୱରୂପ ଝାଙ୍କରପାଲି ପୁନର୍ବାସ କଲୋନୀ ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନରେ ବଲାଙ୍ଗିର ସଦର ବ୍ଲକ ପ୍ରଶାସନ ତରଫରୁ ଏକ ପୋଖରୀ ଖୋଳାଯାଇଛି । ଯେଉଁଥିରେ କି ଏହା ସିଂହଭାଗ ଅନୁଦାନ ବାଟମାରଣା କରି ଦୁର୍ନୀତି ହୋଇଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଅଭିଯୋଗ ଆସୁଛି । ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଛୋଟ ଛୋଟ ଛୁଆମାନଙ୍କ ପାଇଁ ଏକ ପ୍ରାଥମିକ ବିଦ୍ୟାଳୟ ବହୁ ଦିନରୁ ଦାବି ହେଉଛି । ପ୍ରଶାସନ ଓ ପ୍ରକଳ୍ପ ଅଧିକାରୀ ସ୍କୁଲ ପାଇଁ ସମ୍ମତି ପ୍ରଦାନ କରୁଥିଲେ ହେଁ ଦୁଇ ବର୍ଷ ହେଲା ସେ ସ୍କୁଲ ହୋଇନଥିବାରୁ ଛୋଟ ଛୋଟ ଛୁଆମାନେ ପାଠ ପଢିବା ପାଇଁ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଜି ପର୍ଯ୍ୟନ୍ତ ସ୍ଥାୟୀ ପିଇବା ପାଣି ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ପାଣି ବନ୍ଦୋବସ୍ତ ହୋଇପାରିନାହିଁ । ଏପରି କି କିଛି ବିସ୍ତାପିତଙ୍କ ମୁଣ୍ଡପିଛା ହେଉ କି ଫଳନ୍ତି ବୃକ୍ଷର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏପରି ଅବ୍ୟବସ୍ଥାରେ ପୁନର୍ବାସ କଲୋନୀରେ ବିସ୍ତାପିତମାନେ ଅସହାୟ ଅବସ୍ଥାରେ ପଡିରହିଛନ୍ତି । ଯଦି ଆଗକୁ ଏପରି ପରିସ୍ଥିତି ଜାରି ରହେ ତେବେ ଆଗାମୀ ଦିନରେ ସମସ୍ତ ବିସ୍ତାପିତମାନେ ପୁଣି ଏକଜୁଟ ହୋଇ ଆନ୍ଦୋଳନମୁହାଁ ହେବେ ବୋଲି ଶ୍ରୀ ମିଶ୍ରଙ୍କ ଆଗରେ ବିସ୍ତାପିତମାନେ ବିଷୋଦଗାର କରିଛନ୍ତି । ଆଜିର ଏହି ଆଲୋଚନା ସମୟରେ ଶ୍ରୀ ମିଶ୍ରଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ସରପଂଚ ସଂଜୟ ଗଡତ୍ୟା, ଡା. ରାଧାକାନ୍ତ ଭୋଇ, ଭରତ ସାହୁ, ମୀନକେତନ ଚାନ୍ଦ, ବିଷ୍ଣୁ ଛତ୍ରିଆଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.