ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଡଙ୍ଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଶାସନିକ ସେବା ଅଧିକାରୀ ପ୍ରସନ୍ନ କୁମାର ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଓଏସ୍‌ଡି ତଥା ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୁନ ୧୩ ତାରିଖ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ଷଡଙ୍ଗୀଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀ ଷଡଙ୍ଗୀ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ମାଣ୍ଡିଆପଦର ଗ୍ରାମର ସ୍ୱର୍ଗତ ଧନୁଧର ଷଡଙ୍ଗୀ ଓ ଗୋପେଶ୍ୱରୀ ଷଡଙ୍ଗୀଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି । ଲୋଇସିଂହାର ହରେକୃଷ୍ଣ ମହତାବ ହାଇସ୍କୁଲରୁ ମେଟ୍ରିକ ପାସ୍‌ କରି ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସାରିବା ପରେ ୧୯୯୫ରେ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ତାଙ୍କର ପ୍ରଥମ ନିଯୁକ୍ତି କଳାହାଣ୍ଡି ଜିଲ୍ଲାର ଭବାନିପାଟଣା ଠାରେ ନିଜାରତ ଅଫିସର ଭାବେ କାର୍ଯ୍ୟରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ସରକାରଙ୍କର ବିଭିନ୍ନ ପଦପଦବିରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ସେ ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଥିଲେ । ତାଙ୍କ ନିଯୁକ୍ତିରେ ସାରା ବଲାଙ୍ଗିର ସହରର ବୁଦ୍ଧିଜୀବୀ ମହଲରେ ତଥା ଜନ୍ମ ଗାଁ ମାଣ୍ଡିଆପଦରରେ ଖୁସିର ଲହର ଖେଳିଯାଇଛି ।

Leave A Reply

Your email address will not be published.