jayashree

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରାଣୀ ଚିକିତ୍ସକଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ପଶୁରୋଗ ବିଶେଷଜ୍ଞ ତଥା ପଶୁ ସମ୍ପଦ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡାକ୍ଟର କୁମୁଦ ଚନ୍ଦ୍ର ତ୍ରିପାଠିଙ୍କ ମଙ୍ଗଳବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ ତ୍ରିପାଠି ଗତ ତିନି ମାସ ହେବ କର୍କଟ ରୋଗରେ ପୀଡ଼ିତ ହୋଇଥିବା ବେଳେ ମଙ୍ଗଳବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁ ପରେ ମର ଶରୀରକୁ ନିଜ ଗ୍ରାମ କ୍ଷତ୍ରିୟବରପୁରକୁ ଆଣି ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଶଶାଙ୍କ କିରଣ ଓ କେ ସଂଜୀବ, ଦୁଇ ବୋହୂ, ଦୁଇ ଝିଅ ବବିତା ଓ ସଙ୍ଗୀତା ଏବଂ ଜ୍ଵାଇଁ ରବୀନ୍ଦ୍ରନାଥଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ମାନେ ଊପସ୍ଥିତ ଥିଲେ । ପ୍ରକାଶ ଥାଉକି ସ୍ଵର୍ଗତ ତ୍ରିପାଠି ଜଣେ ସୁନାମଧନ୍ୟ ପଶୁରୋଗ ବିଶେଷଜ୍ଞ ଭାବରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ବିଶ୍ଵନାଥ ପାଣ୍ଡେଙ୍କ ଠାରୁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ସେ ଜଣେ ଅମାୟିକ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ଜନଶୁଣା ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.