
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କଠାରୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୫ ରେ ପୁରସ୍କୃତ ହୋଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ତରଫରୁ ଜୁନ ମାସ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ କୃଷି ସଦନ ଭୁବନେଶ୍ୱରଠାରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ମାନିତ ଅତିଥି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଓଡ଼ିଶା ସରକାର ଗଣେଶ ରାମ ଖୁଣ୍ଟିଆଙ୍କ କର କମଳରୁ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ପ୍ରମାଣପତ୍ର ଓ କୋଡ଼ିଏ ହଜାର ଚେକ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ବିଦ୍ୟାଳୟରେ ବର୍ଷ ତମାମ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହିତ ଛାତ୍ରଛାତ୍ରୀ, ଆଲୁମିନି ସଦସ୍ୟ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟାମାନଙ୍କୁ ନେଇ ବୃକ୍ଷ ରୋପଣ, ବନାଗ୍ନିରୋକିବା, ପ୍ଲାଷ୍ଟିକ ବ୍ୟବହାର ନକରିବା, ଜୈବିକ ସାର ପ୍ରୟୋଗ କରିବା ଉପରେ ଅନେକ କାମ କରିଛନ୍ତି । ଚଳିତ ବର୍ଷ ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ପୁରସ୍କାର ପାଇଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା, ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଜୁଲାଇ ପ୍ରଥମ ସପ୍ତାହରେ ବନମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟ ଏବଂ ବାହାରେ ବହୁତ ସଂଖ୍ୟାରେ ବୃକ୍ଷ ରୋପଣ କରିବାକୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି ।