ସାମ୍ୱାଦିକତା ଓ ଗଣ ଯୋଗାଯୋଗର ପ୍ରାକ୍ତନ ପ୍ରଫେସର ଡ. ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରାକ୍ତନ ପ୍ରଫେସର ଡ. ପ୍ରଦୀପ ମହାପାତ୍ରଙ୍କ ଗୁରୁବାର ବିଳମ୍ବିତ ରାତ୍ରି ୨ ଘଣ୍ଟା ସମୟରେ ଦେହାନ୍ତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଏ । ସେ ନିମୋନିଆ ରୋଗରେ ପୀଡ଼ିତ ହୋଇ ତାଙ୍କର ଫୁସଫୁସ୍ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଗତ କିଛି ଦିନ ହେଲା, ଚିକିତ୍ସାଧିନଥିବା ଜଣାଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋଜ ମଞ୍ଜରୀ ପଟ୍ଟନାୟକ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ତାହାଙ୍କ ବିୟୋଗରେ ସାମ୍ୱାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଗଣନା କରାଯାଇଛି । ଆଜି ତାଙ୍କ ମରଶରୀରକୁ ବ୍ରହ୍ମପୁର ମହାନଗରର ଭୀମାରାଓ ପେଟ୍ଟା ସ୍ଥିତ ବାସଭବନକୁ ଅଣାଯିବା ପରେ ହିନ୍ଦୁରୀତି ମତେ ଗେଟ୍ ବଜାର ସ୍ଥିତ ଶ୍ମଶାନ ପଡ଼ିଆରେ ତାହାଙ୍କ ଅନ୍ତେଷ୍ଟି-କ୍ରିୟା ସମ୍ପନ୍ନ ହେବ ବୋଲି ତାଙ୍କ ପରିବାର ସୂତ୍ରରୁ କୁହାଯାଇଛି । ପ୍ରକାଶ ଥାଉକି, ଜଣେ ସାମ୍ବାଦିକତା ବୃତ୍ତି କ୍ୟାରିୟରରୁ ତାଙ୍କ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟର ସାମ୍ବାଦିକତା ଶିକ୍ଷାକ୍ଷେତ୍ରରେ ଜଣେ ଶିକ୍ଷକ ପଦବୀରେ ବ୍ରତୀ ହୋଇ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗରେ ଦୀର୍ଘ ଦିନ ଚାକିରୀ କରି ୨୦୧୪ ମସିହାରେ ପ୍ରଫେସର୍ ଶ୍ରୀ ମହାପାତ୍ର ଅବସର ଗ୍ରହଣ କରିଥିଲେ । ପରେ ସେ ଅଦ୍ୟାବଧି ସାମ୍ବାଦିକତା କ୍ଷେତ୍ରରେ ସୋସିଆଲ ମିଡିଆରେ ଲେଖାଲେଖି କରି ନିଜର କର୍ମମୟ ଜୀବନ ଓ ଦୀର୍ଘ ନିରାମୟ ଜୀବନରେ ସମାଜକୁ ଦିଗଦର୍ଶନ ଦେଇ ସଂଗ୍ରାମ ଜାରୀ ରଖି ଆସିଥିଲେ । ତାହାଙ୍କ ବିୟୋଗରେ ସମଗ୍ର ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଏକ ଉଝ୍ୱଳ ଜ୍ୟୋତି ଅଦୃଶ୍ୟ ହୋଇଗଲା ବୋଲି ସାଧାରଣରେ କୁହାଯାଏ । ତାହାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.