କାଳ ବୈଶାଖୀର ପ୍ରଚଣ୍ଡ ପ୍ରକୋପ : ଡି ଡି ବିଲଡର କେମ୍ପ ଭୁଷୁଡି ଜଣକର ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ଗତ ରବିବାର ରାତିରେ ଜୟପାଟଣା ଅଞ୍ଚଳରେ କାଳ ବୈଶାଖୀ ପ୍ରଚଣ୍ଡ ରୂପ ନେଇଥିବା ବେଳେ ପତିଗୁଡ଼ା ଠାରେ ଡି ଡି ବିଲଡରଙ୍କ ଏକ ପ୍ଲାଣ୍ଟ ପରିସରରେ ଥିବା କେମ୍ପ୍ ଗୃହ ଭୁଷୁଡି ଯିବା ଫଳରେ କମ୍ପାନୀକୁ ପାଞ୍ଚବର୍ଷ ଧରି ସେବା ଯୋଗାଇ ଆସୁଥିବା ଜଗୁଆଳି କେଶବ ବିଶି (୫୦)ଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ଗତ ରବିବାର ରାତି ପ୍ରାୟ ଆଠଟା ବେଳେ ପ୍ରଚଣ୍ଡ ବାତ୍ୟା ଓ ଘଡ଼ ଘଡି ସହ ବର୍ଷା ହେବା ସମୟରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ କାମରେ ନିୟୋଜିତ ହେଉଥିବା ସ୍ଵତନ୍ତ୍ର ଶ୍ରେଣୀ ଠିକାଦାର ଡି ଡି ବିଲଡରଙ୍କ କେଂପ୍ ଗୃହ ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିବା ଫଳରେ ପତିଗୁଡ଼ା ଗ୍ରାମର କେଶବ ବିଶିଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ଘଟଣା ସ୍ଥଳରୁ ପ୍ରକାଶ ଯେ, ଗତରାତି ମୁନସୀ ନବନୀତ ଦୁବେ ଓ ଜଗୁଆଳୀ କେଶବ କେମ୍ପ୍ ମଧ୍ୟରେ ବସି ବାତ୍ୟାର ପ୍ରକୋପ ଦେଖୁଥିବା ବେଳେ ହଠାତ୍ ସେହି ସମୟରେ ଘର ସମ୍ପୂର୍ଣ୍ଣ ଭୁଷୁଡି ପଡ଼ି ଦୁହିଁଙ୍କୁ ଚାପି ଦେଉଥିଲା । ନବନୀତ କୌଣସି ପ୍ରକାରେ ଉଦ୍ଧାର ପାଇ ଗାଁ ଲୋକଙ୍କୁ ଡାକି ଆଣି କେଶବ କି ଗୁରୁତର ଅବସ୍ଥାରେ ଉଦ୍ଧାର କରିଥଲେ । ଜୟପାଟଣା ଡାକ୍ତରଖାନା ନେଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିପଦ ସଙ୍କୁଳ ଭାବରେ ରହି ଆସୁଥିବା କେମ୍ପ୍ ଗୃହ କେଶବର ଜୀବନ ନେଇଥିବା ବେଳେ ଏବେ ତାର ଅବସ୍ଥା ଦେଖି ଆଞ୍ଚଳିକ ପାଇକ ସମାଜ ସଂପୃକ୍ତ ଠିକା ସଂସ୍ଥାକୁ କ୍ଷତି ପୂରଣ ଦାବୀ କରୁଥିବା ସୁଚନା ମିଳିଛି । ଜଣେ ନିରୀହ ଶ୍ରମିକର ଜୀବନ ଚାଲି ଯିବା ସତ୍ତ୍ୱେ ଠିକା ସଂସ୍ଥାର କୌଣସି କତ୍‌ର୍ତ୍ତୃପକ୍ଷ ଘଟଣା ସ୍ଥଳ କିମ୍ବା ଡାକ୍ତରଖାନାରେ ପହଞ୍ଚି ନ ଥିବା ହେତୁ ବିଭିନ୍ନ ମହଲରେ ଉତ୍ତେଜନା ଦେଖାଦେଇଛି । ଅନ୍ୟପକ୍ଷରେ ଗୃହ ମୂରବୀକୁ ହରାଇ ସମସ୍ତ ପରିବାର ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.