jayashree

ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବାରେ ଓ.କେ.ସି.ଏଲ୍‌.ର ଭୂମିକା ଖୁବ୍ ମହତ୍ତ୍ୱପୂର୍ଣ୍ଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିବା ପାଇଁ କାର୍ଯ୍ୟରତ ଓଡିଶା ନଲେଜ କର୍ପୋରେସନ ଲିମିଟେଡ ପକ୍ଷରୁ ଏକ ଆଞ୍ଚଳିକ ସମ୍ମିଳନୀ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଓ.କେ.ସି.ଏଲ୍‌.ର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ୍‌. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଓ.କେ.ସି.ଏଲ୍‌.ର ଡିଜିଟାଲ ଶିକ୍ଷା ପାଠ୍ୟକ୍ରମ ପ୍ରଦାନ କରୁଥିବା ଶତାଧିକ ଶିକ୍ଷାକେନ୍ଦ୍ରର ପରିଚାଳକମାନେ ଯୋଗଦେଇଥିଲେ । ଓ.କେ.ସି.ଏଲ୍‌.ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥଳ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ସମ୍ମିଳନୀକୁ ଉଦ୍‌ବୋଧନ ଦେଇଥିଲେ । ପରିବର୍ଦ୍ଧିତ ବୈଶ୍ୱିକ ବାତାବରଣରେ ଓଡିଶାର ସମସ୍ତ ଗ୍ରାମ ଓ ସହରାଞ୍ଚଳର ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ପାଠ୍ୟକ୍ରମ ପ୍ରଦାନ ସ୍ୱଳ୍ପ ମୂଲ୍ୟରେ ପ୍ରଦାନ କରି କିପରି ସାମାଜିକ ମାନ ବୃଦ୍ଧି ପାଇବ ସେ କ୍ଷେତ୍ରରେ ଓ.କେ.ସି.ଏଲ୍‌.ର ସମସ୍ତ ଅଧିକୃତ କେନ୍ଦ୍ରମାନଙ୍କ ସଞ୍ଚାଳକ ଚେଷ୍ଟା କରିବାକୁ ଶ୍ରୀ ପୁଥଳ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଏହି ତିନୋଟିଯାକ ଜିଲ୍ଲାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କେନ୍ଦ୍ର ଗୁଡିକୁ ଶ୍ରୀ ପୁଥଳ ସମ୍ମାନୀତ ଓ ପୁରସ୍କୃତ କରିଥିଲେ । ଓ.କେ.ସି.ଏଲ୍‌.ର ବରିଷ୍ଠ ପରିଚାଳକ ସୁଶାନ୍ତ ଜେ. ଦାସଙ୍କ ସମେତ ଜୟଶ୍ରୀ ଦେହୁରୀ, ହିମଜା ହବିଷମତି, ସୌମ୍ୟ ଶୁଭମ ରାଉତ, ଜସ୍ମିନ ପଣ୍ଡା ଓ ଦେବାଶିଷ ସାହୁ ବିଭିନ୍ନ ଆଗାମୀ ପ୍ରୋଜେକ୍ଟ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ । ଓ.କେ.ସି.ଏଲ୍‌.ର ଗଜପତି ଜିଲ୍ଲା ମୁଖ୍ୟ ଶ୍ରୀକାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କନ୍ଧମାଳ ଜିଲ୍ଲାର ମୁଖ୍ୟ ସୁଜିତ କୁମାର ଚୌଧୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.