ଯଦି ମୋ ଉପରେ ରାଗ ଅଛି ତା’ହେଲେ ମୋତେ ପଛେ ମାଡ ମାର କିନ୍ତୁ ମୋର ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କର ନାହିଁ : ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଜର୍ଜଗଡ ଗାଁରେ ସୁନିଲ ନାମକ ଜଣେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କୁ ଗତକାଲି ବିଜେଡି ଦଳର ଗୁଣ୍ଡାମାନେ ମାଡ ମାରି ତାଙ୍କ ଘର ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ମନ୍ତ୍ରୀ ନବ ଦାସ ଯିଏ ବିଜୁ ଜନତା ଦଳ ପାଇଁ ପାଇକମାଲ ଦାୟିତ୍ୱରେ ଅଛନ୍ତି ତାଙ୍କର ଇଙ୍ଗିତରେ ଏହି ଆକ୍ରମଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି । ପାଇକମାଲ ଥାନାରେ ଏ ନେଇ ଏଫ୍‌ଆଇଆର୍‌ ହୋଇଥିବା ସତ୍ୱେ ବିଜେଡି ମନ୍ତ୍ରୀ ନବ ଦାସଙ୍କ ଇଙ୍ଗିତରେ ପୋଲିସ ଅଭିଯୁକ୍ତଙ୍କୁ ଥାନାରୁ ଛାଡି ଦେଲା ବୋଲି ଅଭିଯୋଗ ହୋଇଛି । ହୋଇଥିବା ଅଭିଯୋଗ ଅନୁସାରେ ଗତକାଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କର ଏକ ସମାବେଶ ପାଇକମାଲ ଥାନାର ପଥରେଲ ଗାଁରେ ଚାଲିଥିଲା । ସମାବେଶ ଚାଲିଥିବା ବେଳେ ବିଜୁ ଜନତା ଦଳର ଗୁଣ୍ଡାମାନେ ଆସି ମାଇକ ଛଡାଇ ଟେଂଟ ଭାଙ୍ଗି ଦେଇଥିଲେ ଏବଂ ପ୍ରଦୀପ ପୁରୋହିତଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ପ୍ରଦୀପ ପୁରୋହିତଙ୍କୁ ସୁରକ୍ଷା ଦେଇଥିଲେ । ସେହି ସମାବେଶରେ ଉପସ୍ଥିତ ଥିବା ବିଜେପିର କାର୍ଯ୍ୟକର୍ତ୍ତା ଓ ସମର୍ଥକମାନଙ୍କୁ ବିଜୁ ଜନତା ଦଳର ଗୁଣ୍ଡାମାନେ ସେଠାରେ ଧମକ ଚମକ ଦେଇଥିଲେ ।

ଯଦି ମୋ ଉପରେ ରାଗ ଅଛି ତା’ହେଲେ ମୋତେ ପଛେ ମାଡ ମାର କିନ୍ତୁ ମୋର ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କର ନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ନେତା ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପୁରୋହିତ । ଶ୍ରୀ ପୁରୋହିତ କହିଛନ୍ତି ଯେ, ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି ନିର୍ବାଚନ ଲଢିବାର, ପ୍ରଚାର କରିବାର । ପଦ୍ମପୁରରେ ଯେହେତୁ ଭାରତୀୟ ଜନତା ପାର୍ଟି ପ୍ରତି ସମର୍ଥନ ଦିନକୁ ଦିନ ବଢୁଛି ସେଥିପାଇଁ ବିଜୁ ଜନତା ଦଳ ସମସ୍ତ ନୀତି ନୈତିକତା ଭୁଲି ଭୟର ବାତାବରଣ କରିବା ପାଇଁ ଚାହୁଁଛି । ପଦ୍ମପୁରରେ ଏବେ ସୁଶାନ୍ତ ସିଂ, ନବ ଦାସ, ରାଜେନ୍ଦ୍ର ଢୋଲକିଆଙ୍କ ଭଳି ନେତାମାନେ ଲୋକମାନଙ୍କୁ ଭୟ, ହିଂସାର ବାତାବରଣ ଦେଖାଇ ନିର୍ବାଚନ ଜିତିବା ପାଇଁ ଚାହୁଁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଶ୍ରୀ ପୁରୋହିତ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପରିଚାଳନାରେ ପୋଲିସ ନିରପେକ୍ଷତା ଅବଲମ୍ବନ କରୁନାହିଁ । ଶାସକ ଦଳର ସପକ୍ଷରେ ପୋଲିସ କାମ କରୁଛି । ପୋଲିସ ପ୍ରଶାସନ ନିର୍ବାଚନ ପ୍ରକିୟାରେ ନିରପେକ୍ଷତା ଅବଲମ୍ବନ କରୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, କ୍ଷେତ୍ରୀୟ ଗଣମାଧ୍ୟମ ପ୍ରଭାରୀ ମାନସ ରଂଜନ ବକ୍ସି ଏବଂ ଚିନ୍ମୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.