ମହାମହିମ ପ୍ରଧାନମନ୍ତ୍ରୀ ରାବୁକା,
ଉଭୟ ଦେଶର ପ୍ରତିନିଧିଗଣ,
ସାମ୍ବାଦିକ ବନ୍ଧୁମାନେ,
ନମସ୍କାର
ବୁଲା ବିନାକା
ମୁଁ ପ୍ରଧାନମନ୍ତ୍ରୀ ରାବୁକା ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରୁଛି । ୩୩ ବର୍ଷ ପରେ ୨୦୧୪ ମସିହାରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଫିଜି ମାଟିରେ ପାଦ ଦେଇଥିଲେ । ମୁଁ ବହୁତ ଖୁସି ଏବଂ ଗର୍ବିତ ଯେ ମୋତେ ଏହି ସୌଭାଗ୍ୟ ମିଳିଥିଲା । ସେହି ସମୟରେ, ଆମେ ଭାରତ – ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ସହଯୋଗ ଫୋରମ୍, ଅର୍ଥାତ୍ ‘ଫିପିକ’ ଆରମ୍ଭ କରିଥିଲୁ। ସେହି ପଦକ୍ଷେପ କେବଳ ଭାରତ-ଫିଜି ସମ୍ପର୍କକୁ ନୁହେଁ ବରଂ ସମଗ୍ର ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସହିତ ଆମର ସମ୍ପର୍କକୁ ଏକ ନୂତନ ଶକ୍ତି ଦେଇଛି । ଆଜି ପ୍ରଧାନମନ୍ତ୍ରୀ ରାବୁକାଜୀଙ୍କ ଏହି ଗସ୍ତ ସହିତ, ଆମେ ଆମର ପାରସ୍ପରିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡୁଛୁ ।
ବନ୍ଧୁଗଣ,
ଭାରତ ଏବଂ ଫିଜି ମଧ୍ୟରେ ଗଭୀର ଘନିଷ୍ଠତା ରହିଛି । ଊନବିଂଶ ଶତାବ୍ଦୀରେ, ଭାରତର ଷାଠିଏ ହଜାରରୁ ଅଧିକ ଚୁକ୍ତିବଦ୍ଧ ଭାବେ କାମ କରୁଥିବା ଭାଇ ଓ ଭଉଣୀମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ଝାଳ ବୁହାଇ ଫିଜିର ସମୃଦ୍ଧିରେ ଯୋଗଦାନ ଦେଇଛନ୍ତି । ଫିଜିର ସାମାଜିକ ଏବଂ ସାଂସ୍କୃତିକ ବିବିଧତାରେ ନୂତନ ରଙ୍ଗ ଭରିଛନ୍ତି । ଫିଜିର ଏକତା ଏବଂ ଅଖଣ୍ଡତାକୁ ସେମାନେ ନିରନ୍ତର ଶକ୍ତିଶାଳୀ କରିଛନ୍ତି । ଏସବୁ ମଧ୍ୟରେ, ସେମାନେ ନିଜର ସଂସ୍କୃତି ସହିତ ମଧ୍ୟ ଯୋଡ଼ି ହୋଇ ରହିଥିଲେ । ସେମାନେ ସେମାନଙ୍କର ସଂସ୍କୃତିକୁ ଜୀବନ୍ତ ରଖିଥିଲେ । ଫିଜିର ରାମାୟଣ ମଣ୍ଡଳୀର ପରମ୍ପରା ଏହାର ଏକ ଜୀବନ୍ତ ପ୍ରମାଣ ଅଟେ। ପ୍ରଧାନମନ୍ତ୍ରୀ ରାବୁକାଙ୍କ ଦ୍ୱାରା ‘ଗିରମିଟ୍ ଦିବସ’ ଘୋଷଣାକୁ ମୁଁ ସ୍ୱାଗତ କରୁଛି । ଏହା ଆମର ଐତିହାସିକ ସହଭାଗିତା ପ୍ରତି ଶ୍ରଦ୍ଧାଞ୍ଜଳି । ଏହା ଆମର ପୂର୍ବ ପିଢ଼ିର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ।
ବନ୍ଧୁଗଣ,
ଆଜି ଆମର ବ୍ୟାପକ ଆଲୋଚନାରେ ମଧ୍ୟରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ । ଆମେ ବିଶ୍ୱାସ କରୁଛୁ ଯେ, କେବଳ ଏକ ସୁସ୍ଥ ରାଷ୍ଟ୍ର ହିଁ ଏକ ସମୃଦ୍ଧ ରାଷ୍ଟ୍ର ହୋଇପାରିବ । ତେଣୁ, ଆମେ ନିଷ୍ପତ୍ତି ନେଇଛୁ ଯେ ସୁବାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯିବ । ଡାଏଲିସିସ୍ ୟୁନିଟ୍ ଏବଂ ସାମୁଦ୍ରିକ ଆମ୍ବୁଲାନ୍ସ ପଠାଯିବ ଏବଂ, ଜନ ଔଷଧି କେନ୍ଦ୍ର ଖୋଲାଯିବ, ଯାହା ଦ୍ୱାରା ଶସ୍ତା ଓ ଉଚ୍ଚମାନର ଔଷଧ ପ୍ରତ୍ୟେକ ଘରେ ପହଞ୍ଚିପାରିବ । ଆମେ ଚାହୁଁଛୁ ଯେ ସ୍ୱପ୍ନର ଦୌଡ଼ରେ କାହାର ପାଦ ଅଟକି ନ ଯାଉ, ତେଣୁ ଫିଜିରେ ଏକ ‘ଜୟପୁର ଫୁଟ’ ଶିବିରର ମଧ୍ୟ ଆୟୋଜନ କରାଯିବ ।
କୃଷି କ୍ଷେତ୍ରରେ, ଭାରତରୁ ପଠାଯାଇଥିବା ଗୋମାତା ଖତ ଫିଜିର ମାଟିରେ ବହୁତ ଭଲ ଲାଭଦାୟକ ହେଉଛି । ଭାରତ ଏବେ ୧୨ ଟି କୃଷି-ଡ୍ରୋନ୍ ଏବଂ ୨ ଟି ଭ୍ରାମ୍ୟମାଣ ମାଟି ପରୀକ୍ଷାଗାର ମଧ୍ୟ ଉପହାର ଦେବ । ଭାରତୀୟ ଘିଅକୁ ଫିଜିରେ ମାନ୍ୟତା ଦେବା ପାଇଁ ଆମେ ଫିଜି ସରକାରଙ୍କୁ ଅଭିନନ୍ଦନ ଜଣାଉଛୁ ।
ବନ୍ଧୁଗଣ,
ଆମେ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛୁ । ଏଥିପାଇଁ ଏକ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି । ଫିଜିର ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ଭାରତ ତାଲିମ ଏବଂ ଉପକରଣ ସହାୟତା ଯୋଗାଇବ । ଆମେ ସାଇବର ସୁରକ୍ଷା ଏବଂ ତଥ୍ୟ ସୁରକ୍ଷା କ୍ଷେତ୍ରରେ ଆମର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଅଛୁ । ଆମେ ଏକମତ ଯେ, ଆତଙ୍କବାଦ ସମଗ୍ର ମାନବଜାତି ପାଇଁ ଏକ ବଡ଼ ଆହ୍ୱାନ । ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇରେ ସହଯୋଗ ଏବଂ ସମର୍ଥନ ପାଇଁ ଆମେ ପ୍ରଧାନମନ୍ତ୍ରୀ ରାବୁକା ଏବଂ ଫିଜି ସରକାରଙ୍କ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁଛୁ ।
ବନ୍ଧୁଗଣ,
କ୍ରୀଡା ହେଉଛି ଏକ କ୍ଷେତ୍ର ଯାହା କ୍ରୀଡାକ୍ଷେତ୍ରରୁ ହୃଦୟ ପର୍ଯ୍ୟନ୍ତ ଲୋକଙ୍କୁ ସଂଯୋଗ କରିଥାଏ । ଫିଜିରେ ରଗ୍ବି ଏବଂ ଭାରତରେ କ୍ରିକେଟ୍ ଏହାର ଏକ ଜ୍ୱଳନ୍ତ ଉଦାହରଣ । “ଷ୍ଟାର୍ ଅଫ୍ ରଗ୍ବି ସେଭେନ୍ସ”, ବାଇସେଲେ ସେରେବି ଭାରତର ରଗ୍ବି କ୍ଷେତ୍ରକୁ ପ୍ରଶିକ୍ଷଣ ଦେଇଥିଲେ । ବର୍ତ୍ତମାନ ଭାରତୀୟ ପ୍ରଶିକ୍ଷକ ଫିଜି କ୍ରିକେଟ୍ ଦଳକୁ ଏକ ନୂଆ ଶିଖରରେ ପହଞ୍ଚାଇବେ । ଆମେ ନିଷ୍ପତ୍ତି ନେଇଛୁ ଯେ, ଫିଜି ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଏବଂ ସଂସ୍କୃତ ପଢ଼ାଇବା ପାଇଁ ଭାରତୀୟ ଶିକ୍ଷକମାନଙ୍କୁ ପଠାଯିବ । ଫିଜି ପଣ୍ଡିତମାନେ ତାଲିମ ପାଇଁ ଭାରତ ଆସିବେ ଏବଂ ଗୀତା ମହୋତ୍ସବରେ ମଧ୍ୟ ଅଂଶଗ୍ରହଣ କରିବେ । ଅର୍ଥାତ୍, ଭାଷାରୁ ସଂସ୍କୃତି ପର୍ଯ୍ୟନ୍ତ ସମ୍ପର୍କ ଆହୁରି ଗଭୀର ହେବ ।
ବନ୍ଧୁଗଣ,
ଜଳବାୟୁ ପରିବର୍ତ୍ତନ ଫିଜି ପାଇଁ ଏକ ଗୁରୁତର ବିପଦ । ଏହି ପରିପ୍ରେକ୍ଷୀରେ, ଆମେ ନବୀକରଣୀୟ ଶକ୍ତି, ବିଶେଷକରି ସୌର ଶକ୍ତି କ୍ଷେତ୍ରରେ ଏକାଠି କାମ କରୁଛୁ । ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ ଏବଂ ଗ୍ଲୋବାଲ୍ ଜୈବ ଇନ୍ଧନ ମେଣ୍ଟରେ ଏକତ୍ରିତ ହୋଇଅଛୁ । ଏବେ ଆମେ ବିପର୍ଯ୍ୟୟ ପ୍ରତିକ୍ରିୟାରେ ଫିଜିର କ୍ଷମତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବୁ ।
ବନ୍ଧୁଗଣ,
ପ୍ରଶାନ୍ତ ଦ୍ୱୀପ ଦେଶମାନଙ୍କ ସହଯୋଗରେ ଆମେ ଫିଜିକୁ ଏକ ହବ୍ ଭାବରେ ଦେଖୁ। ଆମେ ଦୁହେଁ ଏକ ମୁକ୍ତ, ଖୋଲା, ଅନ୍ତର୍ଭୂକ୍ତ, ନିରାପଦ ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍କୁ ସମର୍ଥନ କରୁ । ପ୍ରଧାନମନ୍ତ୍ରୀଙ୍କ ‘ଶାନ୍ତି ମହାସାଗର’ର ଦୃଷ୍ଟିକୋଣ ଅତ୍ୟନ୍ତ ସକରାତ୍ମକ । ଭାରତର, ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପରେ ଯୋଗଦେବାକୁ ଆମେ ଫିଜିକୁ ସ୍ୱାଗତ କରୁଛୁ । ଭାରତ ଏବଂ ଫିଜି ମଧ୍ୟରେ ସାମୁଦ୍ରିକ ଦୂରତା ଥାଇପାରେ , କିନ୍ତୁ ଆମର ଆକାଂକ୍ଷା ସମାନ ଡଙ୍ଗାରେ ଯାତ୍ରା କରେ । ଆମେ ଗ୍ଲୋବାଲ୍ ସାଉଥର ବିକାଶ ଯାତ୍ରାରେ ମଧ୍ୟ ସହଯାତ୍ରୀ । ଆମେ ଏପରି ଏକ ବିଶ୍ୱ ଶୃଙ୍ଖଳା ନିର୍ମାଣରେ ଅଂଶୀଦାର ଅଟୁ ଯେଉଁଠାରେ ଗ୍ଲୋବାଲ୍ ସାଉଥର ସ୍ୱାଧୀନତା, ଚିନ୍ତାଧାରା ଏବଂ ପରିଚୟକୁ ସମ୍ମାନ କରାଯାଏ ।
ଆମେ ବିଶ୍ୱାସ କରୁ ଯେ, କୌଣସି ସ୍ୱରକୁ ଅଣଦେଖା କରାଯିବା ଉଚିତ୍ ନୁହେଁ, ଏବଂ କୌଣସି ରାଷ୍ଟ୍ରକୁ ପଛରେ ପକାଇ ଦିଆଯିବା ଉଚିତ୍ ନୁହେଁ ।
ମହାମହିମ,
ଭାରତ ମହାସାଗରଠାରୁ ପ୍ରଶାନ୍ତ ମହାସାଗର ପର୍ଯ୍ୟନ୍ତ ଆମର ସହଭାଗୀତା ସମୁଦ୍ର ପାର୍ଶ୍ୱରେ ଏକ ସେତୁ ଅଟେ । ଏହାର ମୂଳ ଭେଲୋମାନିରେ ଅଛି ଏବଂ ଏହା ବିଶ୍ୱାସ ଓ ସମ୍ମାନ ଉପରେ ନିର୍ମିତ । ଆପଣଙ୍କ ଗସ୍ତ ଏହି ସ୍ଥାୟୀ ବନ୍ଧୁତ୍ଵକୁ ଆହୁରି ସୁଦୃଢ କରିବ । ଆପଣଙ୍କ ବନ୍ଧୁତା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
