ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । କେନ୍ଦ୍ରୀୟ ବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ । ତେଣୁ ଏହାର ସ୍ଥାପନା ହେଲେ ପଦ୍ମପୁର ଅଂଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ଶିକ୍ଷା ବ୍ୟବସ୍ଥା ନିର୍ମାଣ ହୋଇପାରିବ । ଯାହାଦ୍ୱାରା ସାଧାରଣ ଜନତା ଓ ଚାଷୀଙ୍କ ଶିଶୁମାନେ ଉପକୃତ ହେବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଏହାସହ ସରକାରୀ କର୍ମଚାରୀମାନେ ଏହାର ଲାଭ ଉଠାଇପାରିବେ । ଦୀର୍ଘ ଦିନର ଆକାଂକ୍ଷାକୁ ପୂରଣ କରିବାରେ ମନ୍ତ୍ରଣାଳୟର ସମର୍ଥନକୁ ଅପେକ୍ଷା କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି ବରଗଡ଼ ସାଂସଦ । ସୂଚନାଯୋଗ୍ୟ, ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଦୀର୍ଘ ଦିନରୁ ଅଂଚଳବାସୀ ଦାବି କରି ଆସୁଛନ୍ତି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଏନେଇ କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାଂସଦ ଭେଟିବା ପରେ ଖୁବଶୀଘ୍ର ମନ୍ତ୍ରଣାଳୟ ଏଦିଗରେ ଗ୍ରୀନ୍ ସିଗ୍ନାଲ ମିଳିବ ବୋଲି ଲୋକେ ଆଶା ରଖିଛନ୍ତି ।