ବାରିପଦା, (ଦେବସ୍ମିତ ଚୌଧୁରୀ) : ଜାତୀୟ ପତାକାକୁ ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ । ଭାରତୀୟ ଜାତୀୟ ପତାକା ଆଶା ଓ ଉଚ୍ଚକାଂକ୍ଷା ଭାବେ ଆମ ଦେଶର ଜନସାଧାରଣଙ୍କ ପ୍ରତିନିଧିତ୍ୱ କରିଥାଏ । ତେଣୁ ଜାତୀୟ ପତାକାକୁ ଭଲ ପାଇବା, ସମ୍ମାନ ପ୍ରଦର୍ଶନ କରିବା ଓ ଏହା ପ୍ରତି ଆନୁଗତ୍ୟ ଦେଖାଇବା ଉଚିତ୍ । ଜାତୀୟ ସମ୍ମାନ ନିୟମ ୧୯୭୧ ଅନୁଯାୟୀ ଜାତୀୟ ପତାକାକୁ ଅସମ୍ମାନ କଲେ ଆଇନାନୁଯାୟୀ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ସେହିପରି ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆ-୨୦୦୨ ନିୟମ ଅନୁଯାୟୀ ଏହାର ବ୍ୟବହାର ସଠିକ୍ ଭାବରେ କରାଯିବା ଉଚିତ । ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦିବସ, ସାଂସ୍କୃତିକ କାର୍ଯ୍ୟକମ ଏବଂ କ୍ରୀଡା ମହାକୁମ୍ଭ ସମୟରେ ପ୍ଲାଷ୍ଟିକରେ ନିର୍ମିତ ଜାତୀୟ ପତାକା ପରିବର୍ତ୍ତେ କାଗଜରେ ତିଆରି ଜାତୀୟ ପତାକା ବ୍ୟବହାର କରାଯିବା ଉଚିତ । ଏହି ସବୁ କାର୍ଯ୍ୟକ୍ରମ ସମୟରେ ଜନସାଧାରଣ ବ୍ୟବହାର କରୁଥିବା କାଗଜ ତିଆରି ଜାତୀୟ ପତାକାକୁ ଏଣେତେଣେ ପଡିଆରେ ପକାଇଥାନ୍ତି, ଯାହାକି ଜାତୀୟ ପତାକାର ଅସମ୍ମାନ । ତେଣୁ ଜାତୀୟ ପତାକା ଗୁଡିକୁ ଏଣେତେଣେ ନପକାଇବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେବା ସହିତ କାର୍ଯ୍ୟକ୍ରମ ପରେ ଯଥା ସମ୍ଭବ ଏଗୁଡିକୁ ଲୋକ ମାନଙ୍କ ପାଖରୁ ସଂଗ୍ରହ କରି ରଖି ନେବା ଉଚିତ । ସରକାରଙ୍କ ବିନା ଆଦେଶରେ ଜାତୀୟ ପତାକାକୁ ଅର୍ଦ୍ଧନିମିତ ଭାବରେ ଉତ୍ତୋଳନ କରିବା ଅନୁଚିତ । ଜାତୀୟ ପତାକାକୁ ପୋଷାକ ପରିଛଦ, ୟୁନିଫର୍ମ, କୌଣସି ପ୍ରକାର ଗଦି, ରୁମାଲ, ଗାମୁଛା ଓ ପୋଷାକପତ୍ରରେ ବ୍ୟବହାର କରାଯାଇ ପାରିବ ନାହିଁ । ଜାତୀୟ ପତାକା ଉପରେ କୈାଣସି ଲେଖାଲେଖି କରିବା ଅନୁଚିତ । କୈାଣସି ଆତିଥ୍ୟ ଗ୍ରହଣ ସମୟରେ, ବିତରଣ ସମୟରେ, କୌଣସି ଦ୍ରବ୍ୟ ବହନ ସମୟରେ ଜାତୀୟ ପତାକାକୁ ବ୍ୟବହାର କରାଯାଇ ପାରିବ ନାହିଁ । ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ପାଳନ ସମୟରେ ପତାକା ଉତ୍ତୋଳନ ପୂର୍ବରୁ କେବଳ ପତାକା ମଧ୍ୟରେ ଫୁଲ ପାଖୁଡା ରଖାଯାଇ ପାରିବ । ପ୍ରତିମୂର୍ତ୍ତୀ ଉନ୍ମୋଚନ ସମୟରେ ପ୍ରତିମୂର୍ତ୍ତିକୁ ଆଚ୍ଛାଦିତ କଲାଭଳି ଜାତୀୟ ପତାକା ବ୍ୟବହାର କରାଯାଇ ପାରିବ ନାହିଁ । ପ୍ରତିମୂର୍ତ୍ତି ସ୍ଥଳରେ ପୃଥକ ଭାବରେ ଜାତୀୟ ପତାକା ପ୍ରଦର୍ଶିତ କରାଯାଇପାରିବ । ଇଛାକୃତ ଭାବେ ଜାତୀୟ ପତାକାକୁ ଚଟାଣ, ଭୂମି କିମ୍ବା ଜଳରେ ସ୍ପର୍ଶ କରାଯିବା ଅନୁଚିତ । ଯାନବାହାନ ରେଳଗାଡି, ନୌକା, ବିମାନର ହୁଡ୍ ପଛପାଖ ଉଭୟ ପାର୍ଶ୍ଵରେ ଜାତୀୟ ପତାକା ପ୍ରଦର୍ଶିତ କରାଯାଇ ପାରିବ ନାହିଁ । ଜନସାଧାରଣ ଓ ଅନୁଷ୍ଠାନ ଏ ସଂପର୍କରେ ସଚେତନ ରହିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଉଛି ।
Prev Post