centurian jitm

ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନାଟକ ଅଭ୍ୟାସ ପାଇଁ ଅବା ନାଟକ ରିହରସାଲ୍ ପାଇଁ ସ୍ଥାନ ଦେବା ସାଂଗକୁ ଓ ନାଟକ ମଞ୍ଚସ୍ଥ କରିବା ପାଇଁ ଆବଶ୍ୟକ ହେଉଥିବା ପ୍ରେକ୍ଷାଳୟର ସୁଲଭ ଦରରେ ଯୋଗାଇ ଦେବାକୁ ବ୍ରହ୍ମପୁର କଳାକାର ଏକତା ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଳାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ବ୍ରହ୍ମପୁର ସହରରେ ନାଟକ ମଞ୍ଚସ୍ଥ ପାଇଁ ସଂସ୍କୃତି ଭବନ ଓ ଗଞ୍ଜାମ କଳା ପରିଷଦ ଗୃହ ଆବଶ୍ୟକତା ପଡ଼ିଥାଏ । ତେବେ ଏହି ନାଟକ ପରିବେଷଣ ମଞ୍ଚ ଗୃହ ଉକ୍ତ କଳାକାରଙ୍କ ଉଦ୍ଦେଶ୍ୟରେ ରିହାତି ଦରରେ ପ୍ରଦାନ କରିବାକୁ ଦାବୀ କରାଯାଇଛି । ଏଥି ସହ ଉଭୟ ପ୍ରେକ୍ଷାଳୟ ଓ ସଂସ୍କୃତି ଭବନ ଓ ଗଞ୍ଜାମ କଳା ପରିଷଦ ଗୃହ ତଥା ପ୍ରେକ୍ଷାଳୟରେ ନାଟ୍ୟ ଶିକ୍ଷଣ, ନାଟକ ଅଭ୍ୟାସ ପାଇଁ ବିନା ଶୁଳ୍କରେ ଜାଗା ଯୋଗାଇ ଦେବାକୁ ଲିଖିତ ଦାବୀ କରାଯାଇଛି । ଏନେଇ ବ୍ରହ୍ମପୁର ସହରର ଏକାଧିକ ନାଟ୍ୟ ଅନୁଷ୍ଠାନର ସମାହାରରେ ସୃଷ୍ଟି “ବ୍ରହ୍ମପୁର କଳାକାର ଏକତା ମଞ୍ଚ” ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଶୁକ୍ରବାର ଭେଟି ଏହି ଦାବୀ କରିଛନ୍ତି । ବ୍ରହ୍ମପୁର ସହରରେ କଳାକାର ମାନେ ବର୍ଷ ତମାମ ମଞ୍ଚ ନାଟକ ମାଧ୍ୟମରେ ସାଧାରଣ ଲୋକଙ୍କ ମନୋରଞ୍ଜନ ସହିତ ସମାଜକୁ ବାର୍ତ୍ତା ଦେଇ ଆସୁଛନ୍ତି । ହେଲେ ନାଟକ ଟିଏ ମଞ୍ଚସ୍ଥ କରିବା ପାଇଁ ପ୍ରେକ୍ଷାଳୟର ଭଡ଼ା ଆକାରରେ ଦର ବେଶୀ ଥିବାରୁ ଏବଂ ନାଟକ ଅଭ୍ୟାସ ପାଇଁ ଯାଗା ଟିକିଏ ନିମିଳିବାରୁ ନାଟ୍ୟ ଅନୁଷ୍ଠାନ ଓ କଳାକାର ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବ୍ରହ୍ମପୁର କଳାକାର ଏକତା ମଞ୍ଚ ସଭାପତି ଭବାନୀ ଶଙ୍କର ମିଶ୍ର, ଉପସଭାପତି ରାଜ ଗୋପାଳ ପାଢ଼ୀ, ସମ୍ପାଦକ ଡା. ମିହୀର କୁମାର ତ୍ରିପାଠୀ, ଅନିଲ କୁମାର ପାତ୍ର, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ରାମଚନ୍ଦ୍ର ସାସମଲ, ଟି. ଆପାରାଓ, କୈଳାସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଉକ୍ତ ଦାବୀପତ୍ର ଗ୍ରହଣ କରି ଏହାର ତ୍ୱରିତ ପଦକ୍ଷେପ ନେବି ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ କଳାକାର ମଞ୍ଚ ପକ୍ଷରୁ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.