ଭୁବନେଶ୍ୱର, (କେପିଏନ୍ଏସ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଅଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ (ଅଙ୍ଗ ଦାନ ନିମନ୍ତେ ପ୍ରଦତ୍ତ) ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି । ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗଦାନ ପାଇଁ ୨୦୨୦ ଠାରୁ ସୁରଜ୍ ପୁରସ୍କାର ଦିଆଯାଉଛି । ୨୦୨୦ରେ ଗଞ୍ଜାମର ମସ୍ତିଷ୍କ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ୬ଗୋଟି ଗୁରୁତ୍ୱପୂର୍ଣ ଅଙ୍ଗ ଦାନ କରି ଛଅ ଜଣଙ୍କ ଜୀବନ ରକ୍ଷା କରି ଥିବାରୁ ମୁଖ୍ୟମନ୍ତ୍ରୀ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ । ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତାମାତାଙ୍କ ନିକଟରେ ସମାଜ ରୁଣୀ ବୋଲି ମତ ଦେଇ କହିଲେ ଯେ ଏହା ଦ୍ୱାରା ସମାଜ ଉପରେ ବହୁତ ଭଲ ପ୍ରଭାବ ପଡୁଛି । ଏହି ପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆବାନ ଦେଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।