ବଲାଙ୍ଗିର ବ୍ଲକରେ ସମରେନ୍ଦ୍ର ଓ ମନୋଜ ମିଶ୍ରଙ୍କ ମାରାଥନ ପ୍ରଚାର

  • ଲୋକଙ୍କ ଆର୍ଥିକ ବିକାଶ କଂଗ୍ରେସର ପ୍ରାଥମିକତା : ସମରେନ୍ଦ୍ର
  • ଯୁବକଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କଂଗ୍ରେସ କରିବ : ମନୋଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣତନ୍ତ୍ରର ମହାନ୍‌ ପର୍ବ ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଳେ ବଲାଙ୍ଗିର ବ୍ଲକରେ ସମରେନ୍ଦ୍ର ଓ ମନୋଜ ମିଶ୍ରଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ସାଂସଦ ଓ ବିଧାୟକ ପ୍ରାର୍ଥୀ ଏହି ଅବସରରେ ସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ପ୍ରଚଣ୍ଡ ବର୍ଷିଛନ୍ତି । ଦେଶ ସ୍ୱାଧୀନ ହେବା ଯେତେ ସମୟ ହୋଇଛି, ତାର ଏକ ତୃତୀୟାଂଶ ସମୟ ପାଖାପାଖି ୨୫ ବର୍ଷ ବିଜେଡି ରାଜ୍ୟକୁ ଶାସନ କରିଛି । ପୁଣି ସେଥିରୁ ୯ ବର୍ଷ ବିଜେଡି-ବିଜେପି ଉଭୟ ରାଜ୍ୟରେ ଶାସନ କରିଛନ୍ତି । କିନ୍ତୁ ଏତେ ସମୟ ପାଇ ମଧ୍ୟ ଆମ ଜିଲ୍ଲାର ପରିଚୟ ହେଉଛି ‘ଦାଦନ’ । ଏହି କୁଖ୍ୟାତିରୁ ଆମକୁ ମୁକୁଳିବାକୁ ପଡିବ, ଆମର ପିଲାଙ୍କ ପାଇଁ ଭୁଷୁଡି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡି ପିଲାଙ୍କୁ ଉତ୍ତମ ଶିକ୍ଷା, ଭଲ ଶିକ୍ଷକ, ପରିବେଶ ପ୍ରଦାନ କରିବାକୁ ହେବ । ତାହାହେଲେ ହିଁ ଏ ଅଞ୍ଚଳ ଲୋକ ଶିକ୍ଷିତ ହେବେ ଓ ଅଞ୍ଚଳର ଆର୍ଥିକ ବିକାଶ ସମ୍ଭବ ହେବ ଏବଂ ଏହା ହିଁ ଆମର ପ୍ରାଥମିକତା ବୋଲି ଆଜି ବଲାଙ୍ଗିର ବ୍ଲକ କୁଟୁମ୍‌ଡୋଲା, ଝାଙ୍କରପାଲି ପଂଚାୟତରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ବଲାଙ୍ଗିର ବିଧାନସଭା ସଭା ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନିର୍ବାଚନରେ ସ୍ଥାନୀୟ ରାଜ ପରିବାର ଲୋକଙ୍କୁ ନିଶ୍ଚିତ ଭାବେ ପ୍ରତ୍ୟାଖାନ କରିବେ । କାରଣ ଏମାନେ ମୁଖ୍ୟମନ୍ତ୍ରୀ, ବିଧାୟକ, ସାଂସଦ ମନ୍ତ୍ରୀର କ୍ଷମତା ପାଇ ମଧ୍ୟ ବଲାଙ୍ଗିର ଓ ବଲାଙ୍ଗିରବାସୀଙ୍କୁ ଧୋକା ଦେଇଛନ୍ତି । ତେଣୁ ଏପରି ଧୋକାବାଜ୍‌ଙ୍କୁ ଲୋକେ ଆଗାମୀ ନିର୍ବାଚନରେ ଉଚିତ୍‌ ଜବାବ୍‌ ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ଆଜିର ଏହି ନିର୍ବାଚନୀ ସଭାରେ କଂଗ୍ରେସ ଦଳର ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର କଂଗ୍ରେସ ଦଳ ହିଁ ସମାଜର ସବୁ ସ୍ତରର ଲୋକଙ୍କ ପାଇଁ କାମ କରିବ ବୋଲି ନିଜ ଭାଷଣରେ କହିବା ସହ ଅଞ୍ଚଳରେ ବଲାଙ୍ଗିର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଏତେ ଶିଖରକୁ ପହଁଞ୍ଚିଛି ଯେ’ ଆମ ଲୋକେ ବିଜେଡି, ବିଜେପି ଦଳ ଓ ଏମାନଙ୍କ ଅପବିତ୍ର ଗଠବନ୍ଧନକୁ ପ୍ରତିରୋଧ କରିବା ପାଇଁ ଦୃଢ ନିଶ୍ଚିତ ହୋଇଛନ୍ତି । ସେ ଏହା ବି କହିଛନ୍ତି ଯେ, ଆମର ଯୁବକମାନେ ବିଶେଷ ଭାବରେ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହୋଇଛନ୍ତି । ଏଣୁ ଆମର ଲକ୍ଷ୍ୟ ଆମର ଯୁବକମାନଙ୍କୁ ସ୍ୱାବଲମ୍ବୀ ଓ ରୋଜଗାର କ୍ଷମ କରିବା ବୋଲି ମନୋଜ ମିଶ୍ର କହିଥିଲେ । ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ଦଳର ଗ୍ୟାରେଣ୍ଟି ଉପରେ ଲୋକଙ୍କୁ କହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ମିଛୁଆ ସରକାର ବୋଲି ଆକ୍ଷେପ କରିଥିଲେ । ଏହି ନିର୍ବାଚନୀ ସଭାରେ ରାମପ୍ରସାଦ ମିଶ୍ର ସଭାପତିତ୍ୱ କରିଥିବା ବେଳେ ବିଡ଼ିସିସି ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର, ସରପଞ୍ଚ ଶ୍ରୀମତୀ ସୁସ୍ମିତା ସିଂହଦେଓ ଓ ବିକାଶ ରଥ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.