ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଫୁଲ, ଚନ୍ଦନ ଦେଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରଥମ ଛାତ୍ରଛାତ୍ରୀମାନେ ନିଜସ୍ୱ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସୁନାଗରିକ ହେବା ପାଇଁ ପରାମର୍ଶ ଦେବା ସହ ଶୃଙ୍ଖଳା ଛାତ୍ରକୁ ଏକ ଆଦର୍ଶ ଛାତ୍ରରେ ପରିଣତ କରେ ବୋଲି କହିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ବୈବସୂତ ବିଶ୍ୱାଳ ଶୃଙ୍ଖଳା ଆଚରଣ ସମ୍ବନ୍ଧରେ, ଇତିହାସ ଅଧ୍ୟାପକ ରୁଦ୍ରଧର ତ୍ରିପାଠୀ ଅନୁଷ୍ଠାନକୁ ନିର୍ଯ୍ୟାତନା ମୁକ୍ତ ରଖିବା ବିଷୟରେ, ଶିକ୍ଷା ଅଧ୍ୟାପକ ନିଳାଚଳ ତ୍ରିପାଠୀ କ୍ୟାରିୟର କାଉନସେଲିଂ, ଶିକ୍ଷାର ଆବଶ୍ୟକତା ଓ ଭବିଷ୍ୟତ ବିଷୟରେ, ସହକାରୀ ଲାଇବ୍ରେରିଆନ୍‌ ଭୁବନେଶ୍ୱର ମହାକୁର ଇ-ଲାଇବ୍ରେରୀ ବିଷୟରେ, ଖେଳ ଶିକ୍ଷକ ମିତ୍ରଭାନୁ ବିଶ୍ୱାଳ ଅନୁଷ୍ଠାନର ସମୟ ନିର୍ଘଣ୍ଟ ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଇଂରାଜୀ ଅଧ୍ୟାପିକା ନିରୁପମା ସାହୁ କରିଥିବା ବେଳେ ଓଡିଆ ଅଧ୍ୟାପକ ଚୈତନ୍ୟ ଦଣ୍ଡସେନା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷା କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.