● ଭାରତର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସମଗ୍ର ବିଶ୍ୱରୁ ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟପଦ୍ଧତି ନେଇ ଆସିବା ଲାଗି ପ୍ରବାସୀଙ୍କୁ ନିବେଦନ କଲେ ଡକ୍ଟର ମାଣ୍ଡଭୀୟ
ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଭୁବନେଶ୍ୱର ଠାରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ସମ୍ବୋଧିତ କରି ପ୍ରବାସୀମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ଦେଇଛନ୍ତି । ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଗଠନରେ ସହଯୋଗ କରିବା ପାଇଁ ବିଦେଶରୁ ନିଜର ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟ ପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ଥିଲେ । ଉଦ୍ଘାଟନୀ ଅଭିଭାଷଣରେ ଡକ୍ଟର ମାଣ୍ଡଭୀୟ କହିଥିଲେ, ଭାରତର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଭାରତର ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂର୍ତ୍ତି ଆକାରରେ ରେଖାଙ୍କିତ ହୋଇଛି । ଏକ ବିକଶିତ ରାଷ୍ଟ୍ରର ଏହି ଲକ୍ଷ୍ୟକୁ ସାକାର କରିବାରେ ଯୁବବର୍ଗଙ୍କ କେନ୍ଦ୍ରୀୟ ଭୂମିକା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ପରିବର୍ତ୍ତନକାରୀ ଯାତ୍ରାରୁ ପ୍ରେରଣା ନେଇ ଡକ୍ଟର ମାଣ୍ଡଭୀୟ କହିଥିଲେ, ଦକ୍ଷିଣ ଆଫ୍ରିକାରେ ରହଣି ସମୟରେ ଗାନ୍ଧିଜୀ ହାସଲ କରିଥିବା ଶିକ୍ଷା ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲା । ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସାରା ବିଶ୍ୱରୁ ସମାନ ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ଉତ୍ସାହିତ କରିଥିଲେ । ‘‘ଭାରତର ଯୁବକମାନେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମ୍ପଦ । ଭାରତରେ ପ୍ରତି ୨୦ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ବୟସ ୩୫ ବର୍ଷରୁ କମ୍ ଏବଂ ଯୁବବର୍ଗଙ୍କ ହାରାହାରି ବୟସ ୨୯ବର୍ଷ ହୋଇଥିବାରୁ ଆଗାମୀ ବର୍ଷଗୁଡ଼ିକରେ ଆମ ଦେଶ ବିଶ୍ୱର ନେତୃତ୍ୱ ନେବାର ସ୍ଥିତିରେ ରହିଛି । ପ୍ରବାସୀମାନଙ୍କ ଯୋଗଦାନ ‘‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’’ର ପରିକଳ୍ପନାକୁ ସାକାର କରିବାରେ ସହାୟକ ହୋଇପାରିବ, ଯାହା ଏକତା, ବିକାଶ, ବିଶ୍ୱାସ ଏବଂ ସାମୂହିକ ପ୍ରୟାସର ଗୁରୁତ୍ୱକୁ ରେଖାଙ୍କିତ କରିଥାଏ,’’ ଡକ୍ଟର ମାଣ୍ଡଭୀୟ କହିଥିଲେ । ଡକ୍ଟର ମାଣ୍ଡଭୀୟ ମଧ୍ୟ ‘‘ସୀମାଠାରୁ ଊର୍ଦ୍ଧ୍ୱରେ: ଜଗତୀକରଣ ବିଶ୍ୱରେ ପ୍ରବାସୀ ଯୁବ ନେତୃତ୍ୱ’’ ବିଷୟବସ୍ତୁ ଉପରେ ଏକ ପୂର୍ଣ୍ଣାଙ୍ଗ ଅଧିବେଶରେ ଅଧ୍ୟକ୍ଷତା କରିଥିଲେ । ନିଜର ଅଭିଭାଷଣରେ ସେ କୃଷି, ଶିଳ୍ପ, ସେବା ଏବଂ ଆଇଟି କ୍ଷେତ୍ରରେ ଭାରତର ବିପୁଳ ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଏବଂ ଅନ୍ୟ ବିଶ୍ୱ ଅର୍ଥବ୍ୟବସ୍ଥା ତୁଳନାରେ ପ୍ରଭାବଶାଳୀ ହୋଇଥିବା ୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାର ସହିତ ଦେଶର ବିକାଶ ଗତି ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ପରିବର୍ତ୍ତିତ ବିଶ୍ୱ ପରିଦୃଶ୍ୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତର କ୍ଷମତା ଏବଂ ସାମର୍ଥ୍ୟ ରହିଛି । ଅଭିବୃଦ୍ଧି ଓ ନବସୃଜନ ପାଇଁ ଭାରତର ବଜାର, ଯୁବବର୍ଗ ଏବଂ ମାନବ ସମ୍ବଳ, ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ । ଯୁବବର୍ଗଙ୍କୁ ସଶକ୍ତ କରିବା ଓ ସେମାନଙ୍କ ସଫଳତା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ସରକାର ଗତ ଦଶନ୍ଧି ମଧ୍ୟରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି । ମନ୍ତ୍ରୀ ଆହୁରି ମଧ୍ୟ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବିଷୟରେ ଉଲ୍ଲେଖ କରିଥିଲେ । ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କ ଅବଦାନ ସମ୍ପର୍କରେ କହିଥିଲେ ଯେଉଁଥିରେ ଅନେକ ଡାକ୍ତର, ନର୍ସ ଏବଂ ସିଇଓ ବିଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି । ଡକ୍ଟର ମାଣ୍ଡଭୀୟ ମଧ୍ୟ କୋଭିଡ-୧୯ ମହାମାରୀ ସମୟରେ ଭାରତର ମୁକାବିଲା ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଭାରତ ବିଶ୍ୱର ବିଭିନ୍ନ ଦେଶକୁ ଜରୁରି ଔଷଧ ଯୋଗାଇଥିଲା, ଯାହା ଭାରତର ନେତୃତ୍ୱ ଏବଂ ଆତ୍ମନିର୍ଭରଶୀଳତାକୁ ଦର୍ଶାଇଥାଏ । ‘‘ଭାରତ ଏବଂ ବିଶ୍ୱ ମଧ୍ୟରେ ସେତୁ ନିର୍ମାଣ କରିବାରେ ପ୍ରବାସୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସେମାନଙ୍କର ଅମୂଲ୍ୟ ଯୋଗଦାନ ଜାରି ରଖିବାକୁ ମୁଁ ପ୍ରବାସୀମାନଙ୍କୁ ଆହ୍ୱାନ କରୁଛି,’’ ଡକ୍ଟର ମାଣ୍ଡଭୀୟ ଶେଷ କରିଥିଲେ ।