ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ଐତିହାସିକ ତୀର୍ଥ ଓ ପର୍ଯ୍ୟଟନ କେନ୍ଦ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ବୁଧବାର ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇଥିଲା । ପ୍ରତିବର୍ଷ ତୁଳନାରେ ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ସମଗ୍ର ଅଞ୍ଚଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଆସ୍ଥା ଓ ପରମ୍ପରାର ଏହି ପବିତ୍ର ପର୍ବ ଉପଲକ୍ଷେ ହଜାର ହଜାର ଭକ୍ତ ନୃସିଂହନାଥ ଧାମକୁ ଆସି ଧର୍ମୀୟ କାର୍ଯ୍ୟରେ ଯୋଗ ଦେଇଥିଲେ । ମକର ସଂକ୍ରାନ୍ତି ଅବସରରେ ଭୋରରୁ ମନ୍ଦିର ପରିସରରେ ଭକ୍ତମାନଙ୍କ ଭିଡ଼ ଆରମ୍ଭ ହୋଇଥିଲା । ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ନିକଟବର୍ତ୍ତୀ ଛତିଶଗଡ଼ ରାଜ୍ୟର ବହୁ ସ୍ଥାନରୁ ଭକ୍ତମାନେ ଆସି ନୃସିଂହନାଥ ପାପନାଶିନୀ ଝରଣାର ଗୋକୁଣ୍ଡ ଘାଟରେ ଭୋରରୁ ବୁଡ଼ ପକାଇ ଥିଲେ । ଏହି ପବିତ୍ର ଦିନରେ ମକର ବୁଡ଼ ଦେଲେ ସମସ୍ତ ପାପ ନାଶ ହୁଏ ଓ ମନସ୍କାମନା ପୂରଣ ହୁଏ ବୋଲି ଏହି ଆସ୍ଥାକୁ ଆଧାର କରି ପ୍ରତିବର୍ଷ ଏଠାରେ ଭକ୍ତ ସମାଗମ ହୋଇଥାଏ । ମନ୍ଦିରରେ ଦିନଭରି ବିଭିନ୍ନ ଧାର୍ମିକ ନୀତିକାନ୍ତି, ବିଶେଷ ପୂଜାର୍ଚ୍ଚନା ଓ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଦେଖାଯାଇଥିଲା । ଭକ୍ତମାନେ ହରିନାମ ସଂକୀର୍ତ୍ତନ କରି ଆଧ୍ୟାତ୍ମିକ ଆନନ୍ଦ ଅନୁଭବ କରିଥିଲେ । ଛତିଶଗଡ, ସାରାଇପାଲି ଗ୍ରାମରୁ ଗୋଟିଏ ସଂକୀର୍ତ୍ତନ ଦଳ ଆସି ମଣ୍ଡପ ପାଖରେ ବହୁତ ସମୟ ଯାଏଁ ତାଙ୍କର ନାମ ସଂକୀର୍ତ୍ତନ୍ୟ ପରିବେଷଣ ଅତି ଚମତ୍କାର ଭାବରେ ପରିବେଷଣ କରିଥିଲେ । ସେମାନେ ୧୯୪୧ ମସିହାରୁ ତାଙ୍କର ଗ୍ରାମରେ ଏହି ସଂକୀର୍ତନ ଦଳ ଗଠନ ହୋଇଛି ଏବଂ ସେମାନେ ଦୀର୍ଘ ଅନେକ ବର୍ଷ ହେଲା ନୃସିଂହନାଥ ମନ୍ଦିରକୁ ପବିତ୍ର ମକର ସଂକ୍ରାନ୍ତି ଦିନ ଆସିଥାନ୍ତି ବୋଲି ଶ୍ୟାମଲାଲ ଭାଇ, ବିଜୟ ପଧାନ, ସଞ୍ଜୟ ପଧାନ, ଶରତ ନାୟକଙ୍କୁ ପଚାରିବାରୁ କହିଥିଲେ । ଆବାହମାନ କାଳରୁ ପ୍ରଚଳିତ ମାଗଣା ହରିହର ପଙ୍ଗତ ବ୍ୟବସ୍ଥା ଏହି ପର୍ବର ଏକ ମୁଖ୍ୟ ଆକର୍ଷଣ ଥିଲା । ଶ୍ରୀ ଶ୍ରୀ ନୃସିଂହନାଥ ଠାକୁରଙ୍କ ଅନ୍ନ ପ୍ରସାଦ ହଜାର ହଜାର ଭକ୍ତ ଶ୍ରଦ୍ଧା ସହ ଗ୍ରହଣ କରିଥିଲେ । ପ୍ରସାଦ ବିତରଣ ସ୍ଥଳରେ ପ୍ରବଳ ଭିଡ଼ ଥିଲେ ମଧ୍ୟ ସେବାଭାବ ଓ ସୁଚାରୁ ପରିଚାଳନା ଦ୍ୱାରା କୌଣସି ଅସୁବିଧା ସୃଷ୍ଟି ହୋଇନଥିଲା । ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସର, ମକର ବୁଡ଼ ସ୍ଥଳ ଓ ପ୍ରସାଦ ବିତରଣ କ୍ଷେତ୍ରରେ ପ୍ରଚୁର ପୋଲିସ ମୁତୟନ କରାଯାଇ ଆଇନ ଓ ଶୃଙ୍ଖଳା ରକ୍ଷା କରାଯାଇଥିଲା । ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ଭକ୍ତମାନେ ସୁବିଧାରେ ଦର୍ଶନ କରିପାରିବେ ଓ କୌଣସି ଅପ୍ରୀତିକର ଘଟଣା ନଘଟୁ, ସେଥିପାଇଁ ସମସ୍ତ ପ୍ରକାର ସତର୍କତା ଗ୍ରହଣ କରାଯାଇଥିଲା । ସମଗ୍ର ଦୃଷ୍ଟିରୁ ମକର ସଂକ୍ରାନ୍ତି ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଭକ୍ତି, ପରମ୍ପରା ଓ ସମନ୍ୱୟର ଏକ ସୁନ୍ଦର ଦୃଶ୍ୟ ଦେଖା ଯାଇଥିଲା । ଏହି ପର୍ବ ନା କେବଳ ଧାର୍ମିକ ଆସ୍ଥାର ପ୍ରତୀକ, ବରଂ ଓଡ଼ିଆ ସଂସ୍କୃତି ଓ ସାମୂହିକ ଭାବନାର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ପରିଚିତ ହୋଇଛି ।