ଅସହ୍ୟ ଖରା ସହିତ ବାରମ୍ବାର ପାୱାର କଟ : ଟାଟା ପାୱାର ବିରୁଦ୍ଧରେ ଦାନା ବଂଧୁଛି ଅସନ୍ତୋଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଟିଏ ପଟେ ରେକର୍ଡ ବ୍ରେକିଙ୍ଗ ମୁଣ୍ଡ ଫଟା ଖରା, ଅନ୍ୟ ପଟେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜୀବନ ଯାପନ ଅସହ୍ୟ କରୁଛି । ପ୍ରାୟ ଦୁଇ ଗୁଣା ବିଦ୍ୟୁତ ଦର ଦେବା ସତ୍ୱେ ମଧ୍ୟ କେତେବେଳ ଲୋ ଭୋଲ୍ଟେଜ ତ ଆଉ କେତେବେଳେ ପାୱାର କଟ୍‌ ମଣିଷକୁ ପ୍ରବଳ ଗ୍ରୀଷ୍ମପ୍ରବାହରୁ ବଂଚିବା ପାଇଁ ପଙ୍ଖା କୁଲରରୁ ଦୁରେଇ ରଖୁଛି । ଅସହ୍ୟ ଖରା ସହିତ ବାରମ୍ବାର ବିଦ୍ୟୁତକାଟ ସହରି ଜନତାଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେଉଛି । ଏପରିକି ସହରର ବିଭିନ୍ନ ଅଞ୍ଚଳର ଯୁବ ଗୋଷ୍ଠୀ ସଂଘଠିତ ହୋଇ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ, ବିଦ୍ୟୁତ ଯୋଗାଣ ଡାୟିତ୍ୱରେ ଥିବା ଟାଟା ପାୱାର ଯଥା ଶୀଘ୍ର ଜନାଭିମୁଖୀ ପଦକ୍ଷେପ ଗ୍ରହଣ ନକଲେ ଲୋକଙ୍କ ଆକ୍ରୋଶର ଶିକାର ହେବେ ବୋଲି ବୁଦ୍ଧିଜୀବୀ ଚେତାଇ ଦେଇଛନ୍ତି । ୱେସ୍କୋର ଅତ୍ୟାଚାର ସତ୍ୱେ ଲଗାତାର ପ୍ରୟାସ ଯୋଗୁଁ ୬ -୭ ବର୍ଷ ହେବ ବଲାଙ୍ଗିରବାସୀ ଲୋ ଭୋଲ୍ଟେଜ ଓ ଅଘୋଷିତ ବିଦ୍ୟୁତ କାଟରୁ କିଛି ମାତ୍ରାରେ ନିସ୍ତାର ପାଇଥିଲେ । ବିଗତ କିଛି ବର୍ଷ ବିଶେଷତଃ ସହରୀ ଜନତା ବିଦ୍ୟୁତ ସରବରାହକୁ ନେଇ ପାଖାପାଖି ନିଶ୍ଚିନ୍ତ ଥିଲେ । କିନ୍ତୁ ଗତ ବର୍ଷ ରାଜ୍ୟ ସରକାର ନିଜର ବିଦ୍ୟୁତ ନୀତିରେ ହଠାତ ପରିବର୍ତ୍ତନ ଆଣି ରାଜ୍ୟରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ଟାଟା ପାୱାରକୁ ଦେବା ସହ ଏହି କମ୍ପାନୀ ରାଜ୍ୟବାସୀଙ୍କୁ ଉଚ୍ଚ ମାନର ସେବା ଯୋଗାଇ ଦେବ ବୋଲି ଆଶ୍ଵାସନା ଦେଇଥିଲେ । କିନ୍ତୁ ସେହି ଆଶ୍ଵାସନା ଟାଟା ପାୱାର ଆସୁ ଆସୁ ପାଣିର ଗାର ପାଲଟି ଥିଲା । ଉଚ୍ଚମାନର ସେବା ଯୋଗାଇ ଦେବା ନାଁରେ ଲୋକଙ୍କ ଠାରୁ ଦୁଇଗୁଣ ମୂଲ୍ୟ ଅସୁଲ କରାଯାଇଥିଲା । ଲୋକଙ୍କ ବିକଳ ନିବେଦନକୁ ନେତା ସରକାର ଲଗାତାର ଏଡାଇ ଆସୁଥିଲେ । ଅନ୍ୟ ରାଜ୍ୟ ତୁଳନାରେ ପ୍ରାୟ ଦୁଇ ଗୁଣ ବିଦ୍ୟୁତ ମୂଲ୍ୟ ଦେଉଥିବା ଜନତା ଅନ୍ତତଃ ପଙ୍ଖା କୁଲର ତଳେ ବସି ଖରା କାଟିଦେବେ ବୋଲି ଆଶା ରଖିଥିଲେ । କିନ୍ତୁ ଏ ବରଷର ଗ୍ରୀଷ୍ମ ପ୍ରବାହ ଉଭୟ ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି । ତେବେ ଟାଟା ପାୱାର ଓ ରାଜ୍ୟ ସରକାର ଲାଭଖୋର ମନବୃତ୍ତି ନିବୃତ୍ତ ରହି ଜନ କଲ୍ୟାଣ ଦିଗରେ କାମ ନକଲେ ଖୁବ ଶୀଘ୍ର ଏମାନେ ଜନସାଧାରଣଙ୍କ ଆକ୍ରୋଶର ଶିକାର ନହେବେ ତାହା କୁହାଯାଇ ପାରିବ ନାହିଁ ବୋଲି ଲୋକେ ମତବ୍ୟକ୍ତ କରୁଛନ୍ତି ।

Leave A Reply

Your email address will not be published.

error: Content is protected !!