‘ପୋଷ୍ୟ ସ୍କୁଲ’ର ଭିତ୍ତିଭୂମି ସମୀକ୍ଷା କଲେ ଓଟିଡିସି ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲର ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ସ୍କୁଲର ସୌନ୍ଦର୍ଯ୍ୟକରଣ ସମେତ ସେଠାରେ ଛାତ୍ରୀମାନଙ୍କ ପାଇଁ ଉନ୍ନତମାନର ଲାଇବ୍ରେରୀ, ସାଇନ୍ସ ଲାବ୍ରୋଟୋରୀ, କମ୍ପ୍ୟୁଟର ଲ୍ୟାବ୍, ସ୍ମାର୍ଟ କ୍ଲାସରୁମ୍ ସୁବିଧା ଆଦି ଉପଲବ୍ଧ କରାଇବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମତୀ ମିଶ୍ର ପିଲାଦିନେ ପଢ଼ିଥିବା ନିଜର ଏହି ହାଇସ୍କୁଲକୁ ‘ପୋଷ୍ୟ ସ୍କୁଲ’ ଭାବେ ଗ୍ରହଣ କରିଛନ୍ତି । ଏବେ କୋଭିଡ୍‌-୧୯ କଟକଣା ଥିବାରୁ ଶ୍ରୀମତୀ ମିଶ୍ର ଗତକାଲି ଏହି ସ୍କୁଲର ବିଭିନ୍ନ ଷ୍ଟେକ୍ ହୋଲଡରମାନଙ୍କ ସହ ଭିତ୍ତିଭୂମି ପ୍ରସଙ୍ଗରେ ବିଚାର ବିମର୍ଶ କରିଥିଲେ । ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସ୍କୁଲକୁ କିଭଳି ଉନ୍ନତମାନର କରାଯାଇପାରିବ ସେ ନେଇ ସ୍କୁଲର କିଛି ପୁରାତନ ଛାତ୍ରୀ, ବର୍ତ୍ତମାନର ଛାତ୍ରୀଙ୍କ ସମେତ ଶିକ୍ଷିୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ମତାମତ ଲୋଡ଼ିଥିଲେ । ରାଜ୍ୟ ସରକାର ହାଇସ୍କୁଲ ଅପଗ୍ରେଡେସନ୍ କାର୍ଟ୍ୟକ୍ରମରେ ଏହି ସରକାରୀ ହାଇସ୍କୁଲକୁ ସାମିଲ କରାଯାଇଥିବା ତଥା ରାଜ୍ୟର ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ୧୫ପ୍ରତିଶତ ସଂରକ୍ଷଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଛାତ୍ରୀମାନେ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ । ଶ୍ରୀମତୀ ମିଶ୍ର କହିଥିଲେ ଯେ, ‘ମୋ ସ୍କୁଲ’ କାର୍ଟ୍ୟକ୍ରମ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ । ଯାହା ସ୍କୁଲ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବାର ଏକ ଅଭିନବ ପ୍ରୟାସ । ନିଜେ ପଢ଼ିଥିବା ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ । ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁରୋଧରେ ‘ସ୍ମାର୍ଟ କ୍ଲାସରୁମ୍‌’ ନିର୍ମାଣ କରାଯାଇଛି । ସ୍କୁଲ ଖୋଲିଲେ ଏହା ଉଦଘାଟନ ହେବ । ଏହି ସ୍ମାର୍ଟ କ୍ଲାସରୁମରେ ୫୦ଜଣ ଛାତ୍ରୀ ଏକକାଳୀନ ବସିବାର ସୁବିଧା କରାଯାଇଛି । ସେହିପରି ସ୍କୁଲରେ ଶୈକ୍ଷିକ ପରିବେଶ ଓ ପିଲାମାନଙ୍କ ମଧ୍ୟରେ ପାଠପଢ଼ାରେ ପ୍ରତିଯୋଗିତାମୂଳକ ମନୋଭାବ ବୃଦ୍ଧି ସହ ଭଲ ରେଜଲ୍ଟ କରିବା ପାଇଁ ସ୍କୁଲ ପରିସରରେ ନିୟମିତ କୋଚିଂ କ୍ଲାସ୍, ସୁପର-୩୦ କ୍ଲାସ ରୁମ୍, ବିଭିନ୍ନ ପୁରସ୍କାର, ଫଟୋ ଡକ୍ୟୁମେଣ୍ଟେସନ ସହ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ଶ୍ରୀମତୀ ମିଶ୍ର ପରାମର୍ଶ ଦେଇଛନ୍ତି । ଅନ୍ୟ ପୁରାତନ ଛାତ୍ରୀମାନେ ସ୍କୁଲ ସହ ଯୋଡ଼ି ହେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.