ବଲାଙ୍ଗିର ପୌରାଧ୍ୟକ୍ଷା ପଦ ପାଇଁ ଲଢେଇ ହେବ ଜୋର୍‌ଦାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଧାସଳଖ ପୌରାଧ୍ୟକ୍ଷା ପଦ ପାଇଁ ଲଢେଇ ଚଳିତ ପୌର ନିର୍ବାଚନକୁ ଅଧିକ ସର୍‌ଗରମ୍‌ କରିଛି । ଡାଇରେକ୍ଟ ଫାଇଟିଂରେ ଚଳିତ ଥର ତିନି ପ୍ରମୁଖ ଦଳର ପ୍ରାର୍ଥନୀମାନେ ରହିଥିବା ବେଳେ କାହା ମୁଣ୍ଡରେ ସୁନା କଳସ ଢାଳିବ ହାତୀ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି ବଲାଙ୍ଗିର ସହରରେ, ହାଟରେ ବାଟରେ । ତିନି ପ୍ରମୁଖ ଦଳର ପ୍ରାର୍ଥିନୀମାନଙ୍କ ମଧ୍ୟରୁ ଜଣେ ବଲାଙ୍ଗିର ରାଜନୀତିରେ ପୁରୁଣା ମୁହଁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନୂଆଁ ମୁହଁ । କଂଗ୍ରେସ ପ୍ରାର୍ଥିନୀ ମିଲନୀ ସାହୁ ଗତ ଥର ୨୧ ନମ୍ବର ୱାର୍ଡର କାଉନ୍‌ସିଲର୍‌ ରହିଥିଲେ । ବିଧାୟକ ନରସିଂହ ମିଶ୍ରଙ୍କ ଖୁବ୍‌ ପାଖାପାଖି ଥିବା ମିଲନୀ ସାହୁ ଏବେ ନିର୍ବାଚନ ରଣାଙ୍ଗନରେ ବିଧାୟକଙ୍କ ବଳିଷ୍ଠ ପଦକ୍ଷେପର ବାର୍ତ୍ତା ନେଇ ଭୋଟର୍‌ଙ୍କୁ ଭୋଟ୍‌ ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ବିଜେଡ଼ି ପ୍ରାର୍ଥିନୀ ଲିକା ସାହୁ ରାଜନୀତି ଜଗତରେ ନୂଆଁ ମୁହଁ ହୋଇଥିଲେ ବି ତାଙ୍କ ଶ୍ୱଶୁର ଦୁର୍ଗାଚରଣ ବେହେରା ତଥା ତାଙ୍କ ସ୍ୱାମୀ ବୁଲୁ ବେହେରାଙ୍କ ଜୋର୍‌ କାଟ୍‌ତି ରହିଛି ବିଜେଡ଼ି ଶିବିରରେ । ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ସହ ଦୁଇ ବାପପୁଅଙ୍କ ବେଶ୍‌ ଘନିଷ୍ଠତା ରହିଛି । ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିଜେଡ଼ିର ବହୁମୁଖୀ ସମୃଦ୍ଧ ଯୋଜନା ନେଇ ଲିକା ସାହୁ ଭୋଟର୍‌ଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଅନ୍ୟପଟେ ବିଜେପି ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ସବିତା ବାର୍ଲା କେବଳ ରାଜନୀତି ଜଗତରେ ନୁହେଁ ବିଜେପି ପାଇଁ ମଧ୍ୟ ନୂଆଁ ମୁହଁ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ତାଙ୍କ ସ୍ୱାମୀ ଓକିଲ ସଂଘର ସାଧାରଣ ସଂପାଦକ ଅମନ ନାଗ ଏବେ ଏବେ ବିଜେପି ମୁହାଁ ହୋଇଥିବା ମଧ୍ୟ ସ୍ପଷ୍ଟ ଆଲୋଚନା ହେଉଛି । ତେବେ ବି ସାରା ଦେଶରେ ବିଜେପିର ଦବ୍‌ଦବା ରହିଥିବା ବେଳେ ବିଜୟୀ ହେବାର ଆଶା ନେଇ ସବିତା ବାର୍ଲା ଭୋଟର୍‌ଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

Leave A Reply

Your email address will not be published.