
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆସନ୍ତା ୨୮ରୁ ୪ ତାରିଖ ଯାଏଁ ଶହୀଦ ସପ୍ତାହ ପାଳନ କରିବେ ମାଓବାଦୀ । ଶହୀଦ ସପ୍ତାହ ପୂର୍ବରୁ କନ୍ଧମାଳର ବିଭିନ୍ନ ସ୍ଥାନରେ ଲାଗିଲା ମାଓ ପୋଷ୍ଟର । ରଡ଼ିଗୁମା ଉପସ୍ଵାସ୍ଥ୍ୟ କେନ୍ଦ୍ର ପାଚେରୀରେ ଦୁଇଟି, ସିନାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଛକରେ ଗୋଟିଏ ଲେଖାଏଁ ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ଏହି ସବୁ ପୋଷ୍ଟରରେ ରଡ଼ିଗୁମାର ରମେଶ ନାୟକ ଓ ଓଁଡାଙ୍ଗମାଳର ଜଣଙ୍କ ନାମରେ ଚେତାବନୀ ଦିଆଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ପୋଲିସର ଇନଫର୍ମର ନସାଜିବା, ଝିଅ ବୋହୂଙ୍କୁ ବଦନାମ ହେଲା ପରି କାମ ନକରିବା, ଆଦି ଜନ ବିରୋଧୀ କାର୍ଯ୍ୟ ନକରିବାକୁ ଚେତାବନୀ ଦିଆଯିବା ସହ ସ୍ଥାନୀୟ ଅଞ୍ଚଳ ଛାଡି ଚାଲିଯିବା ଲାଗି ଧମକ ଦିଆଯାଇଛି । ଏକଥା ନ ଶୁଣିଲେ ଜନ ଅଦାଲତରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମାଓବାଦୀମାନେ ଚେତାବନୀ ଦେଇଛନ୍ତି । ପୋଷ୍ଟର ତଳେ ସିପିଆଇ ମାଓବାଦୀ, ବାଘଉନା ଡିଭିଜନ କମିଟି ଲେଖାଯାଇଛି । ଆଗକୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହେଉଥିବାରୁ ଏ ସମୟ ମଧ୍ୟରେ ମାଓବାଦୀମାନେ କିଛି ବଡ଼ ଧରଣର ଅଘଟଣ ଘଟାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଆସନ୍ତା ୨୮ରୁ ମାଓ ଇଲାକା ଦେଇ ଯାଉଥିବା ସମସ୍ତ ସରକାରୀ ବସ୍ ସେବା ବନ୍ଦ ରହିବ ବୋଲି ଜଣାପଡିଛି । ପୋଲିସ ମଧ୍ୟ ମାଓ ଇଲାକା କୁହାଯାଉଥିବା କୋଟଗଡ଼, ତୁମୁଡିବନ୍ଧ, ବେଲଘର, ଫିରିଙ୍ଗିଆ, ଗୋଛାପଡା, ବାଲିଗୁଡା, ଦାରିଂବାଡ଼ି, ବ୍ରାହ୍ମଣୀଗାଁ ଆଦି ଥାନା ଅଞ୍ଚଳରେ କଡ଼ା ପେଟ୍ରୋଲିଂ କରିବା ସହ କୁମ୍ବିଂ ଅପରେସନକୁ ଜୋରଦାର କରିଥିବା କଥା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।