jayashree

ମୁରିବାହାଲ, ଜାମୁଟ ଓ ବିଟାବନ୍ଧ କ୍ଲଷ୍ଟରରେ ପିଏମ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକର ୩ଟି କ୍ଳଷ୍ଟରରେ ଏକଦିବସୀୟ ପିଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକାମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକର ମୁରିବାହାଲ ପିୟୁପିଏସ, ଜାମୁଟ ୟୁଜିଏଚଏସ ଓ ବିଟାବନ୍ଧ ପିୟୁପିଏସରେ ଏହି ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ପ୍ରଥମେ ପାଚିକାମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବହୁ ବିଦ୍ୟାଳୟର ପାଚିକାମାନେ ଭାଗ ନେଇଥିଲେ । ପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କିପରି ଭାବେ ପରିଷ୍କାର ପରିଚ୍ଛନ୍ନତା ତଥା ଚାଉଳ, ପନିପରିବାକୁ ପାଣିରେ ଧୋଇବା ପରେ ରୋଷେଇ କାର୍ଯ୍ୟ ତୁଲାଇବେ ସେ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁରିବାହାଲ ପିୟୁପିଏସରେ ଅତିଥି ରୂପେ ଏବିଇଓ କାନ୍ତାରାମ ଧରୁଆ, ପ୍ରଧାନଶିକ୍ଷକ ତୀର୍ଥୟ ପ୍ରଧାନୀ, ଆରପି ରୂପେ ସିଆରସିସି ଲକ୍ଷ୍ମୀକାନ୍ତ ମହାନନ୍ଦ ଓ ତରୁଣ ସିଂ ଦୀପ ଯୋଗ ଦେଇଥିଲେ । ଜାମୁଟ ୟୁଜିଏଚଏସରେ ଅତିଥି ରୂପେ ଏବିଇଓ କୈଳାସ ଚନ୍ଦ୍ର ଭୋଇ, ପ୍ରଧାନଶିକ୍ଷକ କମ୍ବୋଧର ଛୁରା, ଆରପି ଭାବେ ସିଆରସିସି ଗଣାଧିପ ଦାସ ଓ ପ୍ରମୋଦ କୁମାର କର୍ମୀ ତଥା ବିଟାବନ୍ଧ ପିୟୁପିଏସରେ ଅତିଥି ରୂପେ ୟୋଗୀତା ଶବର, ବିଭୁଦତ୍ତ ବିକ୍ରମ କେଶରୀ ସାହୁ, ଆରପି ରୂପେ ସିଆରସିସି ଲକ୍ଷପତି ହରପାଲ ଓ ଲକ୍ଷପତି ପନକା ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ୩ଟି କ୍ଳଷ୍ଟରର ପ୍ରଶିକ୍ଷଣରେ ଭାଗ ନେଇଥିବା ୫୦ଜଣ ଲେଖାଏଁ ମୋଟ ୧୫୦ଜଣ ପାଚିକାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ମୁରିବାହାଲ ବିଇଓ କାର୍ଯ୍ୟାଳୟର ମଧ୍ୟାହ୍ନ ଭୋଜନ ବିଭାଗ ଦାୟିତ୍ୱରେ ଥିବା ଡିଇଓ ରୁପେଶ କୁମାର ଶାଣ୍ଡ ପାଚିକା ଓ ସହାୟିକାଙ୍କ ପ୍ରଶିକ୍ଷଣ ଓ ରନ୍ଧନ ପ୍ରତିଯୋଗିତା ପରିଚାଳନା କରିଥିଲେ ।

Leave A Reply

Your email address will not be published.