ଗଂଜେଇ ଚାଲାଣ ବେଳେ ମାଡି ବସିଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଏବେ ଚାଲିଛି ମହାଶିବରାତ୍ରି ମେଳା । ତେବେ ଏହାର ସୁଯୋଗ ନେଇ ନୂଆ ଷ୍ଟାଇଲରେ ଗଞ୍ଜେଇ ଚାଲାଣ ହେଉଥିଲା । ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଞ୍ଜେଇ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଞ୍ଚଳର ଚାରି ଜଣ ବ୍ୟକ୍ତି ବାଇକର ସିଟ ଭିତରେ ଗଂଜେଇ ରଖି ଆରାମରେ ସହର ନିକଟସ୍ଥ ଝାଡଦେବନ୍ଦ ଜଙ୍ଗଲରେ ରହିଥିଲେ । ଟିଟିଲାଗଡ଼ ପୋଲିସ ପାଖରେ ଖବର ଆସିଥିଲା ଯେ, ବଡ଼ ଧରଣର ଗଂଜେଇ ଚାଲାଣ ହେଉଛି, ପୋଲିସ ଝାଡଦେବନ୍ଦ ଜଙ୍ଗଲରେ ଖାନ ତଲାସୀ କରିବା ପରେ କିଛି ମିଳିନଥିଲା । ହେଲେ କିଛି ଦୂରରେ ବାଇକର ସିଟ ଉପରେ କିଛି ବ୍ୟକ୍ତି ବସିଥିବା ଦେଖି ସେମାନଙ୍କୁ ସିଟ ଛାଡ଼ିବା ପାଇଁ କହିବା ସହ ସିଟ କଭରକୁ କାଢି ଦେଖିବା ମାତ୍ରକୁ ସିଟ ଭିତରେ ବ୍ୟାଗ ବ୍ୟାଗ ଗଞ୍ଜେଇ ବାହାରିଥିଲା । କେବଳ ସିଟରୁ ନୁହେଁ ବାଇକର ଡ଼ିକି ଏବଂ ଜରି ବ୍ୟାଗ ଭିତରୁ ମଧ୍ୟ ପୁଳା ପୁଳା ଗଂଜେଇ ବାହାରୁଛି ଏନେଇ ଟିଟିଲାଗଡ଼ ପୋଲିସ ତିନୋଟି ବାଇକ ସମେତ ଚାରି ଜଣ ଗଂଜେଇ ମାଫିଆଙ୍କୁ ଅଟକ ରଖି ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି । କେଉଁଠାରୁ ଗଂଜେଇ ଆସିଥିଲା, କିଏ ଗଂଜେଇ ପଠାଇଥିଲା, କେଉଁ ଅଂଚଳକୁ ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ଟିଟିଲାଗଡ଼ ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ସୂଚନା ଦେଇଛନ୍ତି । ତେବେ ଏହି ଚଢାଉରେ ଆଇଆଇସି ମନୋଜ କୁମାର ମୁଣ୍ଡା, ଏଏସ୍ ଆଇ କିରନ୍ ଜାନି, ଏଏସଆଇ କାର୍ତ୍ତିକ ପ୍ରଧାନଙ୍କ ସମେତ ଅନେକ ପୋଲିସ କର୍ମୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.