ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୁଲିସ୍ର କ୍ଲିନ୍ କ୍ରିମିନାଲ୍ ମିଶନ୍ ଜାରି ରହିଥିବା ବେଳେ ଆଜି ଜମି ମାଫିଆ ବହୁଚର୍ଚ୍ଚିତ ଅପରାଧୀ ଟିମନ୍ର ଗଡ଼ ଭାଙ୍ଗିଛି ବଲାଙ୍ଗିର ପୁଲିସ । ସ୍ଥାନୀୟ ପଥରଚେପାରେ ରହିଥିବା ଟିମନ୍ର କାର୍ଯ୍ୟାଳୟ ଓ ଲର୍କିପାଲି ସ୍ଥିତ ଟିମନ୍ର ବାସଗୃହରେ ଆଜି ପୋଲିସ ଜେସିବି ଲାଗିଥିବା ବେଳେ ଟିମନ୍ ଓରଫ୍ ଶ୍ରୀକାନ୍ତ କୁମ୍ଭାରର ଗଡ଼ ଧ୍ୱଂସ କରାଯାଉଛି । ସୂଚନାଯୋଗ୍ୟ ଯେ, ଅପରାଧୀ ଟିମନ୍ ପୂର୍ବରୁ ବେଆଇନ ଜମି କାରବାରରେ ବାରମ୍ବାର ଜେଲ୍ ଯାଇଥିବା ବେଳେ ଗତକାଲି ସଂଧ୍ୟାରେ ଟିମନ୍କୁ ବଲାଙ୍ଗିର ଟାଉନ୍ ପୋଲିସ ପୁଣି ଗିରଫ୍ କରିଥିଲା । ଆଜି ସକାଳୁ ସକାଳୁ ଆରମ୍ଭ ହୋଇଛି ଟିମନ୍ର ଗଡ଼ ଧ୍ୱଂସ ଅଭିଯାନ । ସରକାରୀ ଜମିକୁ ଅକ୍ତିଆର କରି ନିଜର ଅପରାଧ ସାମ୍ରାଜ୍ୟ ଚଳାଇଥିବା ଭଳି ଅଭିଯୋଗ ଟିମନ୍ର ନାମରେ ରହିଥିବା ବେଳେ ଆଜି ପ୍ରଚଣ୍ଡ ପଦକ୍ଷେପ ଗ୍ରହଣ କରିଛି ବଲାଙ୍ଗିର ପୁଲିସ୍ । ଏସ୍ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍ପି, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସହ ଏସ୍ଡିପିଓ ତୋଫାନ୍ ବାଗ, ଟାଉନ୍ ଥାନା ଆଇଆଇସି ବିଶ୍ୱଜିତ ମନବୋଧ, ଇନ୍ସପେକ୍ଟର କେ. ପ୍ରିୟଙ୍କା ରାଉତରାଏ ଓ ବହୁ ସଂଖ୍ୟାରେ ପୋଲିସ୍ ଫୋର୍ସ ଓ ପ୍ରଶାସନିକ ଅଧିକାରୀ, କର୍ମଚାରୀମାନଙ୍କ ଉପସ୍ଥିତିରେ ଚାଲିଛି ଏହି କାର୍ୟ୍ୟାନୁଷ୍ଠାନ । ତେବେ ଲର୍କିପାଲିରେ ଟିମନ୍ର ଘରେ ଜେସିବି ଲାଗିବା ସମୟରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିବା ଏହାକୁ ବେଖାତିର୍ କରି ବଲାଙ୍ଗିର ପୁଲିସ ଆରମ୍ଭ କରିଥିଲା ଘରଭଂଗା ଅଭିଯାନ । ଏବେ ବି ଜାରି ରହିଛି ଟିମନ୍ର ଆଡ୍ଡ଼ା ଭଂଗା କାର୍ଯ୍ୟକ୍ରମ ।