ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଦୀର୍ଘ ମାସରୁ ବହୁ ସଂଖ୍ୟକ ବାଇକ ଓ ଚାରି ଚକିଆ ଗାଡ଼ି ଟ୍ରାକ୍ଟର ତଥା ଅନ୍ୟାନ୍ୟ ଗାଡ଼ିରୁ ବ୍ୟାଟେରୀ ଓ ଅନ୍ୟାନ୍ୟ ପାର୍ଟସ୍ ଚୋରି ହେବା ବିଷୟ ଏହି ଅଞ୍ଚଳର ଲୋକେ ଅଭିଯୋଗ କରି ଆସୁଥିଲେ । ତରଭା ପୋଲିସର ନିଷ୍କ୍ରିୟତା ଯୋଗୁଁ ବହୁ ଦିନ ଧରି ଅନେକ ଚୋରି ଅଭିଯୋଗ କରି ସୁଦ୍ଧା ଅଭିଯୋଗକାରୀ ନ୍ୟାୟ ପାଉନ ଥିବା ବିଷୟ ସାମ୍ୱାଦିକ ଓ ପୋଲିସର ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଆସୁଥିଲେ । ଶେଷରେ ସରଗଜ ଓ ପାଖଆଖ ଗାଁର ଯୁବ ଗୋଷ୍ଠୀ ଏକାଠି ହୋଇ ନିଜ ଧନ ଜୀବନ ଓ ନିଜ ଗାଁ ଲୋକଙ୍କ ସୁରକ୍ଷା ଦାୟିତ୍ୱ ନିଜେ ତୁଲାଇବାକୁ ସଂକଳ୍ପ ନେଇଥିବା ଖବର ବ୍ଲକ ଓ ଜିଲ୍ଲା ସ୍ତରୀୟ ସାମ୍ୱାଦିକଙ୍କ ପାଖରେ ଲିଖିତ ଭାବେ ପହଞ୍ଚିଥିଲା । ଏହି ବିଷୟରେ ଲଗାତାର ଭାବେ ଅନେକ ଖବର ମଧ୍ୟ ପ୍ରସାରଣ ହୋଇଥିଲା । ସେ ଯାହା ବି ହେଉ ଧୀର ପାଣି ପଥର କାଟିଲା ଭଳି ଶେଷରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ପୋଲିସ ଟିମ୍ର ସହାୟତାରେ ଚୋରି ବାଇକ୍ ଉଦ୍ଧାର କେଶରେ ତରଭା ପୋଲିସକୁ ବଡ଼ ସଫଳତା ମିଳିଛି ଓ କିଛି ବାଇକ୍ ଉଦ୍ଧାର ହୋଇଛି । ଏହି ଅଞ୍ଚଳର ବିଭିନ୍ନ ଜାଗାରେ ଚଢ଼ାଉ କରି ୮ଟି ବାଇକ ଓ ୧ଟି ସ୍କୁଟି ଉଦ୍ଧାର କରିଛି ତରଭା ପୋଲିସ । ଚୋରି ବାଇକକୁ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ତରଭା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତରଭା ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତରଭା ଏନଏସିର ଅନ୍ତର୍ଡା ଗ୍ରାମର ଶ୍ରୀତମ ଦଳବେହେରାଙ୍କ ପଲସର ବାଇକ ଗତ ୨୨ ଜାନୁଆରୀରେ ନିଜ ଘର ସମ୍ମୁଖରୁ ଚୋରି ହୋଇଥିବାର ତରଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଥାନା କେଶ ନଂ ୩୩୨ରେ ମାମଲା ରୁଜ୍ଜୁ କରି ଆଇଆଇସି ଅନିତା କିଡୋଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ରବୀନ୍ଦ୍ର ସାହୁ, ଶୁଭେନ୍ଦୁ ସିଂ ବାବୁ, ଏଏସଆଇ ସୁଧୀର କୁମାର ଜେନା, ଗୀତାଞ୍ଜଳି ସୁନା ଓ ଅନ୍ୟ ମାନଙ୍କୁ ନେଇ ଏକ ଟିମ ଗଠନ କରି ଚୋରି ବାଇକ ଉଦ୍ଧାର ନେଇ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୋଗକାରୀଙ୍କ କଳା ପଲସର ବାଇକଟି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଜଳଜଡ଼ ଅଞ୍ଚଳରୁ ଉଦ୍ଧାର କରିବାରେ ସଫଳ ହେବା ପରେ ଚୋରି କରିଥିବା ଅଭିଯୋଗରେ ତରଭା ସହରର ସାଗର ନାଏକ (୧୯)କୁ ଅଟକ ରଖିଥିଲେ । ତଦନ୍ତ କରିବା ପରେ ସେ ଚୋରି କରିଥିବା ୮ଟି ବାଇକ ଏବଂ ଗୋଟିଏ ସ୍କୁଟିକୁ ବିଭିନ୍ନ ସ୍ଥାନରୁ ଜବତ କରିବାରେ ଜିଲ୍ଲା ପୋଲିସ ସହାୟତାରେ ତରଭା ପୋଲିସ ସଫଳ ହୋଇଥିଲା । ଏହି ସମ୍ପର୍କରେ ତରଭା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ସାମ୍ୱାଦିକଙ୍କୁ ସମସ୍ତ ସୂଚନା ଦେଇଛନ୍ତି । ଓ ବିଗତ ବର୍ଷ ବା ଦିନ ମାନଙ୍କରେ ଚୋରି ହୋଇଥିବା ଅନେକ ବାଇକ୍, ମୋବାଇଲ, ଅନ୍ୟାନ୍ୟ ସାମଗ୍ରୀ ସବୁ ଏସପିଙ୍କ ପରାମର୍ଶ, ଉଦ୍ୟମ ଓ କୌଶଳରେ ତରଭା ଓ ଜିଲ୍ଲା ପୋଲିସର ପ୍ରଚେଷ୍ଟାରେ ନିଶ୍ଚିତ ଭାବରେ ଉଦ୍ଧାର ହେବ ଓ ଚୋରି, ଅସାମାଜିକ କାର୍ଯ୍ୟ କଳାପକୁ ରୋକାଯିବ, ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ଓ ଶାନ୍ତି ଫେରି ଆସିବ ବୋଲି ଏସପି ଶ୍ରୀ ନାୟକଙ୍କ ଉପରେ ଲୋକେ ଦୃଢ଼ ଆଶା ବିଶ୍ୱାସ ରଖିଛନ୍ତି ।