ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅଞ୍ଚଳରେ ବୃଦ୍ଧି ପାଉଥିବା ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଖପ୍ରାଖୋଲ ପୋଲିସ ଏକ ସଫଳ ଅଭିଯାନ ଚଳାଇଥିବା ଦେଖିବାକୁ ମିଳିଛି । ଏହାର ଫଳ ସ୍ୱରୂପ ୨ ଶିଶୁ ସମେତ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ପୋଲିସର ଦାଦନ ଶ୍ରମିକ ଉଦ୍ଧାର ଅଭିଯାନ ପେଟ୍ରୋଲ ପମ୍ପ ନିକଟସ୍ଥ ବଡ଼ଗୁର୍ଜିଭଟା ଗ୍ରାମ ନିକଟରେ ସଫଳ ହୋଇଥିଲା । ଶ୍ରମିକ ସର୍ଦ୍ଦାର ଘନଶ୍ୟାମ ଶବର ଓ ଗାଡି ଚାଳକ ତୱାସିର୍ ମହମ୍ମଦଙ୍କୁ ଘଟଣା ସ୍ଥଳରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଶ୍ରମିକମାନଙ୍କୁ ବେଆଇନ ବଇନା ଦେଇ ବିଜୟୱାଡାକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି । ଘଟଣାରେ ବ୍ୟବହୃତ ବୋଲେରୋ ଗାଡିକୁ ମଧ୍ୟ ପୋଲିସ ଜବତ କରିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୬୭/୨୦୨୫ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତଦନ୍ତରେ ପ୍ରକାଶ ହୋଇଛି ଯେ, ଦୁଇ ଅଭିଯୁକ୍ତ ନୂଆପଡା ଜିଲ୍ଲାର କୋମନା ଥାନା ଅଧୀନସ୍ଥ ସୁଖଲିମୁଣ୍ଡା ଗ୍ରାମର ବସିନ୍ଦା । ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକମାନେ ନୂଆପଡା ଜିଲ୍ଲା ପାଇକମାଲ ଅଞ୍ଚଳର ବୋଲି ଖପ୍ରାଖୋଲ ପୋଲିସ ଜଣାଇଛି । ଏହି ଆପତ୍କାଳୀନ ଅଭିଯାନର ନେତୃତ୍ୱ ନେଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ସମୟୋଚିତ ପଦକ୍ଷେପ ବେଆଇନ ଦାଦନ ଶ୍ରମିକ ଚାଲାଣ ପ୍ରତି ରୋକ ଲଗାଇବାର ଉଦ୍ୟମ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି ।
Prev Post