ଛତ୍ରବଜାର ପୋଲ ଭୁଶୁଡିବା ଘଟଣାରେ ଆର୍‌ଡିସି କରିବେ ତଦନ୍ତ

କଟକ : କଟକ ଛତ୍ରବଜାର ପୋଲ ଗତକାଲି ସନ୍ଧ୍ୟାରେ ଭୁଶୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏଥିସହ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଛତ୍ରବଜାର ପୋଲ ଦେଇ କେନାଲ ରାସ୍ତା ସମ୍ପ୍ରସାରଣ କାର୍ୟ୍ୟ ଚାଲିଥିଲା । ହଠାତ ଗତକାଲି ସନ୍ଧ୍ୟା ବେଳେ ପୋଲଟି ଭୁଶୁଡି ପଡି ମାଟି ତଳେ କିଛି ଲୋକ ଚାପି ହୋଇ ରହିଯାଇଥିଲେ । ପୋଲିସ ସହ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ଉଦ୍ଧାରକାରୀ ଦଳ ମାଟି ତଳୁ ୩ ଜଣଙ୍କୁ ଉଦ୍ଧାର କରି ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ଜଣଙ୍କୁ ଚିକିତ୍ସା କରାଯାଉଛି । ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନାହିଁ ।

Leave A Reply

Your email address will not be published.