om academy

ସୁକତେଲ ବୁଡିଅଞ୍ଚଳକୁ ଯାଇନପାରି ଫେରିଗଲେ ପ୍ରଫୁଲ୍ଲ ସାମନ୍ତରା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ବୁଡିଅଞ୍ଚଳରେ ବିସ୍ଥାପିତଙ୍କୁ ଉଚିତ ନ୍ୟାୟ ମିଳୁନାହିଁ । ଗଡଶଙ୍କର ଡୁଙ୍ଗୁରିପାଲି ବିସ୍ଥାପିତ ପରିବାରଙ୍କ ପାନୀୟଜଳ ଓ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ସେଠାରେ ସେମାନଙ୍କ ମାନବାଧିକାରର ଉଲଂଘନ ହେଉଛି ବୋଲି ଅଭିଯୋଗ ହେବା ପରେ ବିଶିଷ୍ଟ ପରିବେଶବିଦ ତଥା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଆଜି ଏହି ଅଞ୍ଚଳକୁ ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପ୍ରଶାସନ ଚାଲାକି କରି କିଛି ଲୋକଙ୍କୁ ପଠାଇ ତାଙ୍କୁ ବାରଣ କରାଗଲା ତେଣୁ ସେ ବଲାଙ୍ଗିର ରେଳ ଷ୍ଟେସନରୁ ଫେରିଯାଇଥିବା ସୂଚନା ଦେଇଛନ୍ତି । ଶ୍ରୀ ସାମନ୍ତରା ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି ଯେ, ସେ ଟ୍ରେନରେ ବଲାଙ୍ଗିର ଆସିବା ପୂର୍ବରୁ ତାଙ୍କ ସାଙ୍ଗରେ ଲୋୟର ସୁକତେଲ ବୁଡିଅଞ୍ଚଂଳକୁ ଯିବାକୁ ଥିବା ବଙ୍ଗୋମୁଣ୍ଡାର ସାମାଜିକ କର୍ମୀ ରାଜୀବ ସଗରିଆଙ୍କୁ ପାଟଣାଗଡ ପୋଲିସ ଓ ବୁଡିଅଞ୍ଚଳର ସତ୍ୟ ବନଛୋରଙ୍କୁ ବଲାଙ୍ଗିର ପୋଲିସ ଅଟକ ରଖିଥିଲା । ସେ ବଲାଙ୍ଗିର ରେଳ ଷ୍ଟେସନରେ ପହଞ୍ଚିବା ପରେ କିଛି ଅଜଣା ଯୁବକ ଲୋୟର ସୁକତେଲ ବିସ୍ଥାପିତ ଲୋକ କହି ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ଓ କହିଥିଲେ କି ବୁଡିଅଞ୍ଚଳରେ ପ୍ରଶାସନ ବିସ୍ଥାପିତଙ୍କୁ ଠିକରେ ଥଇଥାନ କରାଉଛି । ସେ ସେଠିକି ନଯାଆନ୍ତୁ ବୋଲି ବାରଣ କରିଥିଲେ । ବିସ୍ଥାପିତ ନାମରେ ଫୁଲତୋଡା ଦେଇଥିବା ଯୁବକମାନଙ୍କୁ ସେ ଚିହ୍ନି ନଥିଲେ କିମ୍ବା ଜାଣିନଥିଲେ । ବିସ୍ଥାପିତଙ୍କୁ ଠିକରେ ନ୍ୟାୟ ମିଳୁନଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ଖବର କଣ ମିଛ କି ବୋଲି ପ୍ରଶ୍ନ କଲେ ସେମାନେ ତାହାକୁ ଆଡେଇ ଯାଉଥିଲେ ଓ କେବଳ ବୁଡିଅଞ୍ଚଳକୁ ନଯିବାକୁ ଯିଦ କରୁଥିଲେ । ସେମାନେ ତାଙ୍କୁ କୌଣସି ଖରାପ ବ୍ୟବହାର ପ୍ରଦର୍ଶନ କରିନଥିଲେ ହେଁ ତାଙ୍କ କଥାବାର୍ତ୍ତା ଓ ବାରଣରୁ ଜଣାପଡୁଥିଲା ଯେ, ସେମାନେ ପ୍ରଶାସନ ପ୍ରାୟୋଜିତ ଲୋକମାନେ ଥିଲେ । ତେଣୁ ସେମାନଙ୍କ ସହିତ ଅପ୍ରିତିକର ପରିସ୍ଥିତି ସୃଷ୍ଟିନକରି ଫେରି ଯାଉଛି, କିନ୍ତୁ ବିସ୍ଥାପିତଙ୍କ ନ୍ୟାୟ ପାଇଁ ଲଢେଇ ଚାଲୁରହିବ ବୋଲି ପ୍ରଫୁଲ୍ଲ ସାମନ୍ତରା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଇଥିବା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ପ୍ରଫୁଲ୍ଲ ସାମନ୍ତରା ଆଜିର ଘଟଣାପରେ ପ୍ରଶ୍ନ କରିଛନ୍ତି ଯେ, ଯଦି ବିସ୍ଥାପିତଙ୍କୁ ଠିକ୍‌ରେ ପ୍ରଶାସନ କ୍ଷତିପୂରଣ ଦେଉଛି ଓ ଥଇଥାନ କରୁଛି ତାହେଲେ ବୁଡିଅଞ୍ଚଳକୁ ଲୋକଲଗାଇ ବାରଣ କରାଯାଉଛି କାହିଁକି? ପ୍ରଶାସନ ନିଶ୍ଚୟ କିଛି ଲୁଚାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି । ପ୍ରକାଶ୍ୟ ଯେ, କିଛିବର୍ଷ ପୂର୍ବରୁ ଡେମକାମ ଚାଲିଥିବା ବେଳେ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା ଓ ଲିଙ୍ଗରାଜଙ୍କୁ ଥରେ ବଲାଙ୍ଗିର ରେଳ ଷ୍ଟେସନରେ କିଛି ପ୍ରକଳ୍ପ ସପକ୍ଷବାଦୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରି ବଲାଙ୍ଗିର ନଆସିବାକୁ ଧମକ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.