ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଜଗଡ଼ ଗ୍ରାମ ନିକଟସ୍ଥ ନାଳ ପାଖରେ ଯୁବତୀଙ୍କ ତଣ୍ଟି କାଟି ଯୁବକ ଫେରାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମ ନିକଟରେ ଥିବା ନାଳକୁ ଆଜି ସକାଳ ୯ଟା ସମୟରେ ନମିତା ଶତନାମୀ(୨୧) ଓ ତାଙ୍କ ସାନ ଭଉଣୀ ସରୋଜିନୀ ଶତନାମୀ(୧୮) ଗାଧୋଇବାକୁ ଯାଇଥିଲେ । ଗାଧୋଇବା ପୂର୍ବରୁ ନମିତା ନାଳ ଉପରକୁ ଶୌଚ ପାଇଁ ଯାଇଥିଲେ । ସେଠାରେ ପୂର୍ବରୁ ଛପି ରହିଥିବା ଯୁବକ ତାଙ୍କୁ ମାଡି ବସିଥିଲା ଓ ଧାରୁଆ ଅସ୍ତ୍ରରେ ତଣ୍ଟିକୁ କାଟିବା ବେଳେ ସରୋଜିନୀ ଚିତ୍କାର ଶୁଣି ନାଳ ପାର ହୋଇ ଘଟଣାସ୍ଥଳରେ ପହଂଚି ନିଜ ଭଉଣୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ଯୁବକର ହାତକୁ ଟାଣି ଥିଲେ । ଏହି ସମୟରେ ଯୁବକ ଜଣକ ସରୋଜିନୀଙ୍କ ହାତ ପାପୁଲି କାଟି ଦେଇଥିଲା ଓ ଜଙ୍ଗଲ ଆଡକୁ ଦୌଡ଼ି ପଳାଇ ଯାଇଥିଲା । ଏହାପରେ ସରୋଜିନୀ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ତଥା ତାଙ୍କର ଘର ଲୋକେ ଓ ବଡ ଶତପଥି ଘଟଣାସ୍ଥଳକୁ ପହଂଚିବା ବେଳକୁ ନମିତାଙ୍କ ମୃତ୍ୟୁ ହୋଇଯାଇଥିଲା । ସାମାଜିକ କର୍ମୀ ବଡ ଶତପଥି ପାଇକମାଲ ଆଇଆଇସି ସୁଶାନ୍ତ କୁମାର ବଢ଼େଇଙ୍କୁ ଖବର ଦେବା ପରେ ସେ ସଦଳବଳେ ପହଂଚି ଅନୁସନ୍ଧାନ ଜାରି ରଖି ଆହତ ସରୋଜିନୀଙ୍କୁ ପାଇକମାଲ ସରକାରୀ ଚିକିତ୍ସାଳୟକୁ ପଠାଇଥିଲେ । ଚିକିତ୍ସା ପରେ ସରୋଜିନୀ ପାଇକମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଆଇଆଇସି ଶ୍ରୀ ବଢ଼େଇ ସାଇନ୍‌ଟିଫିକ୍‌ ଟିମ୍‌କୁ ଖବର ଦେଇଥିଲେ । ସାଇନ୍‌ଟିଫିକ୍‌ ଅଫିସର ସୁଶ୍ରୀ ପ୍ରିୟଦର୍ଶିନୀ ଓ ତାଙ୍କ ଟିମ୍‌ ଆସି ତାଙ୍କର କାମ ସାରିବା ପରେ ନମିତାଙ୍କ ମୃତଦେହକୁ ପଦ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଥାନା କେସ୍‌ ନଂ ୪୫/୨୩ଦଫା ୩୦୨/୩୦୭ ଆଇ ପି ସି ଅନୁସାରେ ପାଇକମାଲ ପୋଲିସ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି । ସାଇନ୍‌ଟିଫିକ୍‌ ଦଳ ସହ ଥାନା ଆଇଆଇସି ସୁଶାନ୍ତ କୁମାର ବଢ଼େଇ, ଏସଆଇ ସୁଶାନ୍ତ ପଣ୍ଡା, ଏଏସଆଇ ମୋହନ ସୁନ୍ଦର ବାଗ, ହାବିଲଦାର ସୁକାନ୍ତ ସାହୁ ଓ କନେଷ୍ଟବଲ ଯଶ୍ମି ବାଗ ସାହାଯ୍ୟ କରିଥିଲେ । ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଜଣେ ରାଜମିସ୍ତ୍ରୀ ସରୋଜିନୀଙ୍କ ଘରେ ସିମେଣ୍ଟ ପଲସ୍ତରା କାମ କରୁଥିଲା । ସେ ଏହି ଘଟଣା ଘଟାଇଛି ବୋଲି ସରୋଜିନୀ କହିଛନ୍ତି ଓ ଘଟଣା ସମୟରେ ଏକ ମୋବାଇଲ ମିସ୍ତ୍ରୀ ହାତରୁ ଛଡାଇ ଆଣି ଥାନାରେ ଦେଇଛି ବୋଲି ସରୋଜିନୀ କହିଛନ୍ତି । ଏ ନେଇ ଥାନା ଆଇଆଇସି ଶ୍ରୀ ବଢ଼େଇଙ୍କୁ ପଚାରିବାରୁ ଖୁବ୍‌ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.