oum

ଦାଦନ ଶ୍ରମିକଙ୍କୁ ସର୍ଦ୍ଦାର ସହ ୪ ଦଲାଲଙ୍କ ନିସ୍ତୁକ ମାଡ, ୨ ଗିରଫ, ୨ ଏବେବି ଫେରାର

jsm
  • ୮୦ହଜାର ଟଙ୍କା ଵଏନା ନେଇ ଦାଦନ ନ ଯିବା ମହଙ୍ଗା ପଡିଲା
  • ଥାନାରେ ପ୍ରଥମ ବିଏନ୍‌ଏସ୍‌ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ଝାରଖମାର ଗ୍ରାମର ତ୍ରିନାଥ ଭୋଇ(୩୫)ନାମକ ଜଣେ ଦାଦନ ଶ୍ରମିକଙ୍କୁ ଜଣେ ସର୍ଦ୍ଦାରଠାରୁ ବଏନା ନେଇ ଅନ୍ୟ ସର୍ଦ୍ଦାର ସହ ଦାଦନ ଯିବା ମହଙ୍ଗା ପଡିଛି । ତାଙ୍କୁ ପ୍ରଥମ ବଏନା ଦେଇଥିବା ଦାଦନ ସର୍ଦ୍ଦାର ସହ ଦଲାଲମାନେ ନିସ୍ତୁକ ମାଡ ମାରିଥିବା ତାଙ୍କ ସ୍ତ୍ରୀ ଦେବକୀ ଭୋଇ(୩୦) ୪ଜଣଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ବେଲପଡ଼ା ଥାନା ମଧ୍ୟପୁର ଗ୍ରାମର ସୁଶାନ୍ତ ପାଢ଼ୀ(୪୦) ଓ ମିଥୁନ ବିଶ୍ଵାଳ(୪୦)ନାମକ ଦୁଇ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଦାଦନ ସର୍ଦ୍ଦାର ଟେଙ୍ଗରା ଗ୍ରାମର ଦଶରଥ ବାଗ ଓ ମଧ୍ୟପୁର ଗ୍ରାମର ଦଲାଲ ରଞ୍ଜନ ପାଢ଼ୀ ଫେରାର ଥିବା ପୁଲିସ ପ୍ରକାଶ କରିଛି । ଦେବକୀ ଭୋଇଙ୍କ ଏତଲା ମତେ ତାଙ୍କ ସ୍ୱାମୀ ତ୍ରିନାଥ ଭୋଇ ଦାଦନ ଯିବା ପାଇଁ ଟେଙ୍ଗରା ଗ୍ରାମର ଦାଦନ ସର୍ଦ୍ଦାର ଦଶରଥଙ୍କଠାରୁ ୮୦ହଜାର ଟଙ୍କା ଵଏନା ଆଣିଥିଲେ । କିନ୍ତୁ ସେମାନେ ଅନ୍ୟ ଏକ ଦାଦନ ସର୍ଦ୍ଦାର ସହ ଶ୍ରମିକ ଭାବେ କାମ କରିବାକୁ ବାହାର ରାଜ୍ୟକୁ ଯାଇଥିଲେ । ସେଠାରୁ ଫେରିବା ପରେ ପୂର୍ବ ଦାଦନ ସର୍ଦ୍ଦାର ଦଶରଥ ନିଜ ବଏନା ଟଙ୍କା ମାଗିଥିଲେ । କିନ୍ତୁ ବାରମ୍ବାର ମାଗିବା ପରେ ମଧ୍ୟ ତ୍ରିନାଥ ବଏନା ଅର୍ଥ ନ ଦେବାରୁ ତାଙ୍କୁ ଅଭିଯୁକ୍ତମାନେ ଡାକି ନେଇ ନିସ୍ତୁକ ମାଡ ମାରିଥିଲେ । ଏ ସମ୍ପର୍କରେ ଦେବକୀ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ପକ୍ଷରୁ କେଶ ନଂ ୨୧୨/୨୪ରୁଜ୍ଜୁ ହୋଇ ଥାନାରେ ପ୍ରଥମ ଭାରତୀୟ ନ୍ୟାୟ ସଂହିତା ଦଫା ୨୯୬,୧୧୫(୨),୧୪୦(୩),୩୫୧(୩), ଓ ୩(୫)ରେ ଅଧିକ ତଦନ୍ତ ଚାଲିଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ଓ ଫେରାର ଥିବା ମୁଖ୍ୟ ସର୍ଦ୍ଦାର ସହ ଅନ୍ୟ ଜଣେ ଦଲାଲଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.