oom

ଭଦ୍ରା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଆତ୍ମସାତ ଘଟଣାରେ ପିଇଓଙ୍କୁ କୋର୍ଟ ଚାଲାଣ : ଯୋଗାଣ ସହାୟକ ଫେରାର

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ଚାଉଳ ଆତ୍ମସାତ ଘଟଣାରେ ଭଦ୍ରା ପଞ୍ଚାୟତର ତତ୍‌କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ(୪୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର, ନଭେମ୍ୱର, ଡିସେମ୍ବର ମାସରେ ଭଦ୍ରା ପଞ୍ଚାୟତକୁ ଆସିଥିବା ପିଡ଼ିଏସ୍‌ ଚାଉଳ ହଡପ ହୋଇଥିବା ନେଇ ଗତ ୪ ତାରିଖ ଦିନ ସଇଁତଲା ବିଡ଼ିଓଙ୍କଠାରେ ଅଭିଯୋଗ ହୋଇଥିଲା । ଏନେଇ ବାରମ୍ବାର ବିଭିନ୍ନ ଖବର ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗର ମିଳିତ ଭାବେ ତଦନ୍ତ ଆରମ୍ଭ କରିଥିଲା । ଏଥିରେ ତଦନ୍ତ ବେଳେ ୯୭ କ୍ଵିଣ୍ଟାଲ ଚାଉଳ ଆତ୍ମସାତ ହୋଇଥିବା ଧରାପଡ଼ିଥିଲା । ଏନେଇ ସଇଁତଲା ବିଡିଓ ବିନୟ କୁମାର ଭୋଇଙ୍କ ନିର୍ଦ୍ଦେଶକ୍ରମେ ସଇଁତଲା ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀ ସଇଁତଲା ଥାନାକୁ ପହଂଚି ତତ୍‌କାଳୀନ ପିଇଓ ସତ୍ୟପ୍ରିୟ ସାହୁ ଓ ଯୋଗାଣ ସହାୟକ ସତ୍ୟ ଛତ୍ରିଆଙ୍କ ନାଁରେ ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଥାନା କେସ୍‌ ନଂ ୩୭୨/୨୩ ଏକ ମାମଲା ରୁଜୁ କରି ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ ତଦନ୍ତ ଆରମ୍ଭ କରି ଭଦ୍ରା କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁଙ୍କୁ ନିଜ ଘର ତୁଷୁରା ଥାନା ଅନ୍ତର୍ଗତ ଆଟଗାଁରୁ ଗିରଫ କରି ସଇଁତଲା ଥାନାରେ ପଚରା ଉଚରା ପରେ ରବିବାର ରାତି ପ୍ରାୟ ୧୧ଟା ସମୟରେ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା । ଏଥିରେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି । ଅନ୍ୟପକ୍ଷରେ ଯୋଗାଣ ସହାୟକ ସତ୍ୟ ଛତ୍ରିଆ(୩୮) ମଧ୍ୟ ଫେରାର ଥିବାରୁ ତାଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.