ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମରେ ଫାଟ : ସ୍ଥାୟୀତ୍ୱ ନେଇ ପ୍ରଶ୍ନ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ଗାଇଖାଇ ଅଙ୍ଗ ମୁଖ୍ୟ କେନାଲ କଂକ୍ରିଟ କାମ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ପ୍ରାୟ ୮୦ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗିର ଜଳସେଚନ ବିଭାଗ ପକ୍ଷରୁ ହରଭଙ୍ଗା ମାଇନର ଠାରୁ ଡୁମେରପାଲି ପର୍ଯ୍ୟନ୍ତ ୫ କି.ମି. ଅଙ୍ଗ ମୁଖ୍ୟ କେନାଲର ଉନ୍ନତିକରଣ କାମ କରାଯାଇଛି । “ବାଲାଜୀ କନ୍‌ଷ୍ଟ୍ରକସନ୍” ନାମକ ଏକ ଠିକା ସଂସ୍ଥା ଏହାର ନିର୍ମାଣ କାମ କରିଥିବା ବେଳେ ସପ୍ତାହେ ହେବ ଏହାର ନିର୍ମାଣ ସରିଛି । ହେଲେ ଏହି କେନାଲ କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କାମ ସଂପୂର୍ଣ୍ଣ ହେବାର ସପ୍ତାହେ ନ ହୋଇନି ଖୁଣ୍ଟଲିମୁଣ୍ଡା କେନାଲ ବ୍ରିଜରୁ ଡୁୁମେରପାଲି ପର୍ଯ୍ୟନ୍ତ ତଳ କଂକ୍ରିଟରେ ଫାଟ ଦେଖିବାକୁ ମିଳିଛି । ଫଳରେ ଏହି କେନାଲ କାମରେ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗାଇଡ ଲାଇନ୍ ମୁତାବକ ଆବଶ୍ୟକ ପରିମାଣର ସିମେଣ୍ଟ, ବାଲି ତଥା ପାଣି ଦିଆଯାଇ ନାହିଁ ତଥା କେନାଲ ଭିତରୁ ହାଲୁକା ମାଟି ନ ଉଠାଇ ତା’ ଉପରେ କଂକ୍ରିଟ କାମ କରାଯାଇଥିବାରୁ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ଅଭିଯୋଗ ହେବା ପରେ ଫାଟକୁ ଲୁଚାଇବାକୁ ଯାଇ ଠିକାସଂସ୍ଥା ତରଫରୁ ସ୍ଥାନେ ସ୍ଥାନେ ମସଲା ଦେଇ ପ୍ୟାଚ କରାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଏହି କେନାଲରେ ଲଗାଯାଇଥିବା ଭାଲଭ ଗୁଡ଼ିକ ମଧ୍ୟ ଠିକ୍ ଭାବେ କାମ ହୋଇପାରି ନାହିଁ । ଏନେଇ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନଥିଲା । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.