ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ନୂତନ ସାଇବର ଥାନା ଏବଂ ଅର୍ଥନୈତିକ ଅପରାଧ ଜିଲ୍ଲା ସେଲ୍ ଗତ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏଥିରେ ପୋଲିସ ଷ୍ଟେସନର ନାମ ଫଳକରେ କେବଳ ଗଞ୍ଜାମ ଲେଖାଯାଇଛି । ଏହାରି ଆକ୍ଷରୀକ ଅର୍ଥ ଯେ’ ଗଞ୍ଜାମ ସହ ଛତ୍ରପୁର ମଧ୍ୟ ଲେଖାଯିବା ଉଚିତ । ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ଅଟେ । ତେଣୁ ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ଛତ୍ରପୁର ଠାରେ ଅବସ୍ଥାପିତ ହୋଇଥିବା ହେତୁ ସମସ୍ତ ବର୍ଗର କାର୍ଯ୍ୟାଳୟ ଗୁଡ଼ିକ ଗଞ୍ଜାମ, ଛତ୍ରପୁର ଲେଖାଯିବାର ବିଧି ରହିଛି । ଏଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ଗୁଡ଼ିକ ଗଞ୍ଜାମ, ଛତ୍ରପୁର ବୋଲି ଉଲ୍ଳେଖ ରହିଛି । ଠିକ୍ ସେହିଭଳି ସାଇବର ଥାନା ଏବଂ ଅର୍ଥନୈତିକ ଅପରାଧ ଥାନା, ଗଞ୍ଜାମ, ଛତ୍ରପୁର ବୋଲି ଉଲ୍ଳେଖ ହେବା ନିହାତି ଜରୁରୀ ଅଟେ ବୋଲି ବିଭିନ୍ନ ମହଲରେ ଜନସାଧାରଣ ମତପ୍ରକାଶ କରିଛନ୍ତି । ଖୁବ୍ ଶୀଘ୍ର ତହିଁରେ ଛତ୍ରପୁରକୁ ଉଲ୍ଳେଖ କରାଯିବାକୁ ସମାଜସେବୀ ତଥା ଆଇନଜ୍ଞ ଡଃ. ରାଜେନ୍ଦ୍ର ଦାସ୍ ସେହିଦିନ ହିଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ଆଇ.ଜି. ନିତି ଶେଖରଙ୍କୁ କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ’ ପାରମ୍ପରିକ ପ୍ରଥା ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗଞ୍ଜାମ, ଛତ୍ରପୁର, ସେହିପରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଗଞ୍ଜାମ, ଛତ୍ରପୁର ବୋଲି ଉଲ୍ଳେଖ ରହିଛି । ସେହିପରି ଛତ୍ରପୁର ସହରରେ ସ୍ଥାପିତ ନୂତନ ସାଇବର ଥାନା ଗଞ୍ଜାମ, ଛତ୍ରପୁର ବୋଲି ଲେଖାଯିବାକୁ ସହରର ବୁଦ୍ଧିଜୀଵୀଙ୍କ ତରଫରୁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି । ଅନ୍ୟ ପକ୍ଷରେ ସହରର ସାମ୍ୱାଦିକ, ଆଇନଜୀବୀଙ୍କ ପକ୍ଷରୁ ସାଧାରଣରେ ଦାବି ହୋଇଛି ।