ଓଡିଶା ପ୍ରସିଦ୍ଧ ହରିରାଜୁର ପଂଗୁଦୋଳ ମେଳଣ ୨୩ରୁ ଆରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଧିନସ୍ଥ ହରିରାଜପୁରଠାରେ ଓଡିଶା ପ୍ରସିଦ୍ଧ ପଶ୍ଚିମାଶମ୍ଭୂ ସୋମନାଥ ଦେବଙ୍କ ପଂଗୁଦୋଳ ମେଳଣ ମାର୍ଚ୍ଚ୨୩ ତାରିଖ ବୁଧବାର ଦିନଠାରୁ ଆରମ୍ଭ ହୋଇ ପଂଗୁଦୋଳ ମେଳନ ଉତ୍ସବରେ ସମାପନ କରାଯିବ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇବର୍ଷ ଧରି କୋଭିଡ ସଂକ୍ରମଣକୁ ଲକ୍ଷ୍ୟ ରଖି କେବଳ ରୀତିନୀତିରେ ମେଳନ କାର୍ଯ୍ୟ ସମ୍ପାଦନ ହୋଇଥିଲା । କଟକଣା କୋହଳ ପରେ ମେଳନ ପୂର୍ବ ବିଧି ଅନୁଯାଇ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏନେଇ ସମସ୍ତ ଭକ୍ତମାନେ କୋଭିଡ କଟକଣାକୁ ପାଳନ କରିବା ସହିତ ସମସ୍ତେ ମାସ୍କ ପରିଧାନ କରିବା ପାଇଁ ନିବେଦନ କରାଯାଇଛି । ସୋମନାଥ ଦେବଙ୍କ ବହୁ ପୁରାତନ୧୬୩୭ ମସିହାରୁ ପାରମ୍ପରିକ ସଂସ୍କୃତି ସମ୍ପନ୍ନ ପଂଗୁଦୋଳ ମେଳଣ ଚିତାକର୍ଷକ ଭାବରେ ଆରମ୍ଭ ହୋଇ ଆସୁଛି । ପଶ୍ଚିମାଶମ୍ଭୁ ସୋମନାଥ ଦେବ ଓ ମା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଜମାଣ ରାତ୍ରରେ ମନ୍ଦୀରର ପଶ୍ଚିମ ଦ୍ୱାର ଦେଇ ସୁସଜ୍ଜିତ ଦୋଳବିମାନରେ ଉପବିଷ୍ଟ ହୋଇ ମେଳଣ ପଡିଆ ଅଭିମୁଖେ ବିଜେ ଯାତ୍ରା କରନ୍ତି । ସେହି ବିଜେ ଯାତ୍ରା ସମୟରେ ମାନସିକଧାରୀ ଭକ୍ତମାନେ ଓ ମେଳଣ ଅନୁଷ୍ଠାନ ତରଫରୁ ଚିତାକର୍ଷକ ଆତସବାଜି ପଦର୍ଶନ କରାଯାଇଥାଏ । ତା’ ସାଙ୍ଗକୁ ମନଭୋରା କଳଗଂଗ ବାଦ୍ୟବିଚିତ୍ରା ଘଣ୍ଟ, ଘଣ୍ଟି, ତୂରୀ, ଶଂଖଧ୍ୱନୀ, ଝଲସିତ ଆଲୋକମାଳ, ପାଇକ ଆଖାଡା, ବନାଡି ଖେଳ, ଶଗଡି, ରୋଷଣୀ ସହିତ ବିଭିନ୍ନ ସଂଗଠନର ଭଜନ ସଂନ୍ଧ୍ୟା, ନୃତ୍ୟଗୀତ, ମେଲୋଡି ଓ ମହୋତ୍ସବ ପ୍ରଭୃତି ମେଳନ ପଡିଆରେ ପରିବେଷଣ କରାଯାଇଥାଏ । ସେହିପରି ମେଳଣ ଜମାଣ ଦିନଠାରୁ ଠାକୁର ମେଳନ ଉତ୍ସବ ପୂର୍ବରୁ ୪ଦିନ ଧରି ଚାଲୁଥିବା ବେଳେ ଏ ବର୍ଷ ପ୍ରଥମ କରି ୫ଦନ ହେବ ବୋଲି ଜଣାପଡିଛି । ଠାକୁରଙ୍କ ତରଫରୁ ନିମନ୍ତ୍ରିତ ୮୦ରୁ ଅଧିକ ଦୋଳ ବିମାନରେ ବିଭିନ୍ନ ଗ୍ରାମରୁ ଶ୍ରୀଶ୍ରୀ ହରିହର ଭେଟ ନିମନ୍ତେ ବିଗ୍ରହ ଉପଦିଷ୍ଟ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହି ଅବସରରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଭକ୍ତମାନେ ଠାକୁରଙ୍କ ଉପରୁ ହଜାର ହଜାର ସଂଖ୍ୟା ମାନସିକ ଧାରୀ ଫଗୁ ପକାଇଥାନ୍ତି ବୋଲି ମେଳନ କମିଟି ସଂଯୋଜକ ପ୍ରସନ୍ନ ମହାରଥି ସୁଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମଳନୀ ଓ ପ୍ରସ୍ତୁତି ବୈଠକରେ ମେଳନ କମିଟିର ସଭାପତି ପ୍ରେମାନନ୍ଦ ମହାରଥି, ସମ୍ପାଦକ ସଂଗ୍ରାମ କେଶରୀ ପ୍ରଧାନ, ଅଶୋକ ସାମନ୍ତରାୟଙ୍କ ସମସ୍ତ କମିଟିର ସଭ୍ୟମାନେ ଉପସ୍ଥିତ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ ।

Leave A Reply

Your email address will not be published.