- ଶ୍ରଦ୍ଧାଳୁଙ୍କୁ ରଥ ନ ଚଢିବା ବାବଦକୁ କ୍ଷତିପୂରଣ ଦିଆଯାଇଥିଲା ୨ କୋଟିରୁ ଅଧିକ
- ବିପୁଳ କ୍ଷତିପୂରଣ ରାଶି ସତ୍ୱେ ଶ୍ରଦ୍ଧାଳୁ ଚଢିଥିଲେ ରଥ
- ଶ୍ରୀମନ୍ଦିର ପରିଚାଳନାରେ ଆହୁରି ଶୃଙ୍ଖଳାର ଆବଶ୍ୟକତା ରହିଛି : ହେମନ୍ତ ପଣ୍ଡା
ବଲାଙ୍ଗିର, (କେପିଏନ୍ଏସ୍) : ନବ କଳେବର ୨୦୧୫ ସମୟରେ ବିଭିନ୍ନ ପୁରୀ ଶ୍ରୀମନ୍ଦିର ନିଯୋଗ ଓ ସେବାୟତମାନଙ୍କୁ ନିତୀକାନ୍ତି ପାଇଁ କ୍ଷତିପୂରଣ ଓ ପାଉଣା ବାବଦକୁ ୮ କୋଟି ୪୪ ଲକ୍ଷ ୯୪ ହଜାର ୬୫୩ ଟଙ୍କା ପ୍ରଦାନ କରାଯାଇଥିବା କଥା ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଜନ ସୂଚନା ଅଧିକାରୀ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାଯାଇଛି । ଶ୍ରଦ୍ଧାଳୁଙ୍କୁ ରଥ ଚଢିବା ଉପରେ କଟକଣା ଜାରୀ କରିଥିଲା ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ । ଠାକୁରଙ୍କ ତିନି ରଥକୁ ଚଢିବା କଟକଣା ବାବଦକୁ ଦଇତାପତି ନିଯୋଗକୁ କେବଳ କ୍ଷତିପୂରଣ ରାଶି ୨ କୋଟି ୫ ଲକ୍ଷ ୪୩ ହଜାର ୫୦୦ ଟଙ୍କା ୨୦୧୬ – ୧୭ ଆର୍ଥିକ ବର୍ଷରେ ଦିଆଯାଇଛି । ପ୍ରଭୁଙ୍କ ନବ ଯୌବନ ଦର୍ଶନ ଏବଂ ଗରା, ଥାଳି, ପିଙ୍ଗନ ଆଦି ଓ ଅନ୍ୟାନ୍ୟ ନୀତି ପାଇଁ ଜିନିଷପତ୍ର ବାବଦକୁ ୨ କୋଟି ୮୧ ଲକ୍ଷ ୪୨ ହଜାର ୫୭୯ ଟଙ୍କା ପ୍ରାପ୍ୟ ଓ କ୍ଷତିପୂରଣ ଦିଆଯାଇଛି । ବିଭିନ୍ନ ନିଯୋଗ ଓ ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ପାଉଣା ବାବଦକୁ ୧ କୋଟି ୨୧ ଲକ୍ଷ ୫୫ ହଜାର ୭୬୬ ଟଙ୍କା ଦିଆଯାଇଥିଲା । ପ୍ରତିହାରୀ ଓ ସୁଆରବଡୁ ସେବକଙ୍କ ପାରମାଣିକ ଅଂଶ ବାବଦକୁ ୧ କୋଟି ୭୯ ଲକ୍ଷ ୭୭ ହଜାର ୩୫୬ ଟଙ୍କା ଦିଆଯାଇଛି । ଏହିଭଳି କର୍ମକୃତ୍ୟ, ବନଯାଗ, ହବିଷ୍ୟ ଇତ୍ୟାଦି ପାଉଣା ବାବଦକୁ ମିଶାଇ ୮ କୋଟି ୪୪ ଲକ୍ଷ ଟଙ୍କା ୯୪ ହଜାର ୬୫୩ ଟଙ୍କା ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ରଥ ଚଢାକୁ ବାରଣ କରାଯିବା ବାବଦକୁ ଦଇତାପତି ନିଯୋଗକୁ କ୍ଷତିପୂରଣ ଦିଆଯାଇଥିଲେ ମଧ୍ୟ ନବ କଳେବର ବର୍ଷରେ ଶ୍ରୀ ଗୁଣ୍ଡିଚା ମନ୍ଦିର ଆଡପ ପହଣ୍ଡି ବେଳେ ଜଣେ ମହିଳା ଶ୍ରଦ୍ଧାଳୁ ରଥ ରଥକୁ ଚଢିଥିବା କଥା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ସରକାର ଓ ପ୍ରଶାସନ ଶ୍ରୀମନ୍ଦିର ସେବକଙ୍କୁ ଠାକୁରଙ୍କ ସେବା ପାଇଁ ବିପୁଳ ପରିମାଣ ଅର୍ଥ ରାଶି ପ୍ରାପ୍ୟ ଓ କ୍ଷତିପୂରଣ ଦେବା ଘଟଣାକୁ ସୂଚନା କର୍ମୀ ଶ୍ରୀ ପଣ୍ଡା ସ୍ୱାଗତ କରିଥିଲେ ମଧ୍ୟ ନବେକଳେବର ଓ ବିଭିନ୍ନ ସମୟରେ ହେଉଥିବା ଚରମ ବିଶୃଙ୍କଳାକୁ ତିବ୍ର ନିନ୍ଦା କରିଛନ୍ତି । ସେବାୟତମାନଙ୍କୁ କ୍ଷତିପୂରଣ ଓ ପ୍ରାପ୍ୟ ଦିଆଯାଉଥିଲେ ମଧ୍ୟ ଶୀମନ୍ଦିର ଓ ରଥ ଯାତ୍ରାରେ ବିଶୃଙ୍ଖଳାକୁ ସରକାର ଓ ପ୍ରଶାସନ ଦୂର କରି ନପାରିବା ଦ୍ୱାରା ସମଗ୍ର ରାଜ୍ୟରେ ସରକାର ଓ ପ୍ରଶାସନ ବିରୋଧରେ ଜନ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଶ୍ରୀମନ୍ଦିରର ବିଭିନ୍ନ ନୀତି କାନ୍ତି ଓ ଯାନି ଯାତ୍ରାରେ ଆହୁରି ଶୃ୍ଙ୍ଖଳାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।