
- ସମ୍ବିଧାନର ମୂଳତତ୍ୱକୁ ସଂସଦ ମଧ୍ୟ ସଂଶୋଧନ କରିପାରିବ ନାହିଁ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାପ୍ତାହିକ ଖବରକାଗଜ ଗଣ୍ଡାବଜାର ସପ୍ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ଆମ ସମ୍ବିଧାନ ଆମ ଧର୍ମଗ୍ରନ୍ଥ” ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବିଧାନ ବିଶାରଦ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ, ସମ୍ମାନିତ ଅତିଥିଭାବେ ସୁପ୍ରିମଟାକ୍ସର ନିର୍ଦ୍ଦେଶକ ଅଜିତ ପାଲ, ସରକାରୀ ମହିଳା ମହାବିଦ୍ୟଳୟର ସହକାରୀ ପ୍ରଫେସର ଅକ୍ଷୟ କୁମାର ସେଠ, ଚାଷୀନେତା ସାନନ୍ଦ ମିଶ୍ର ଓ ଯୁବ ସାମାଜିକ କର୍ମୀ ଗଣେଷ ସାହୁ ପ୍ରମୁଖ ଯୋଗଦେଇଥିଲେ । ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ କୁନା ବାଗ ପରିଚାଳନା କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ମିଶ୍ର କହିଥିଲେ ଯେ, ସମ୍ବିଧାନ ପ୍ରଣୟନ ସମୟରେ ବାବା ସାହେବ ଏକ ଆଶଂକା ପ୍ରକାଶ କରିଥିଲେ ତତ୍କାଳିନ ସମୟରେ ଧନୀ ଓ ଗରିବଙ୍କ ଭିତରେ ତାରତମ୍ୟ ରହିଥିଲା । ତେବେ ଭବିଷ୍ୟତରେ ଏହି ତାରତମ୍ୟ ବଢିଲେ ଗଣତନ୍ତ୍ର ଧ୍ୱଂସ ହୋଇଯିବ ଓ ସମ୍ବିଧାନ ଅକାମି ହୋଇଯିବ । ସେ ଯେଉଁ ଆଶଂକା କରିଥିଲେ ଆଜି ତାହା ସତ୍ୟରେ ପ୍ରମାଣିତ ହେଉଛି । ବର୍ତ୍ତମାନ ସମ୍ବିଧାନକୁ ବଦଳେଇ ଦେବାର ଉଦ୍ୟମ ଆରମ୍ଭ ହୋଇଛି । କିନ୍ତୁ ସୁପ୍ରିମକୋର୍ଟ କହିଛନ୍ତି ଯେ, ସମ୍ବିଧାନର ମୂଳତତ୍ତ୍ୱକୁ ସଂସଦ ମଧ୍ୟ ସଂଶୋଧନ କରିପାରିବନାହିଁ । ଦୁଃଖର କଥା ଯେଉଁ ସଂସ୍ଥା ଗୁଡିକ ସମ୍ବିଧାନକୁ ସୁରକ୍ଷା ଦେବା କଥା ସେହି ସଂସ୍ଥା ଗୁଡିକ ଆଜି ନିରପେକ୍ଷ ନୁହଁନ୍ତି । ହୁଏତ ମୂଳତତ୍ୱକୁ ସରକାର ସଂଶୋଧନ କରିଦେଇପାରନ୍ତି । ଏହା ମୂଳତତ୍ୱର ସଂଶୋଧନ ନୁହେଁ ବୋଲି ସୁପ୍ରିମକୋର୍ଟ ଚାପରେ କହିପାରନ୍ତି । ପ୍ରତ୍ୟେକ ଆଂଚଳିକ ଭାଷାରେ ସମ୍ବିଧାନ ଲେଖାଯାଏ ବ୍ୟାପକ ମାତ୍ରାରେ ବଣ୍ଟନ କରାଯିବା କଥା । ସରକାର ଏହାକୁ ପ୍ରୋତ୍ସାହିତ କରିବା ଉଚିତ । ଆମେ ସମସ୍ତେ ମଧ୍ୟ ଲୋକଙ୍କ ପାଖରେ ସମ୍ବିଧାନକୁ ପହୁଂଚାଇ ସଚେତନ କରାଇବା ଏକାନ୍ତ ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଏହା ସହିତ ସମ୍ବିଧାନରେ ବଂଚିବାର ଅଧିକାର ରହିଛି । ସୁପ୍ରିମକୋର୍ଟ କହିଛନ୍ତି ମର୍ଯ୍ୟାଦା ସହ ବଂଚିବା ଅଧିକାର ପ୍ରତ୍ୟେକ ନାଗରିକ ପାଇବା ଉଚିତ । କିନ୍ତୁ ସରକାର ପରେ ସରକାର ବଦଳୁଛି ଲୋକେ ଏହି ଅଧିକାର ପାଇବାରୁ ବଂଚିତ ହେଉଛନ୍ତି ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ନନ୍ଦ ସମ୍ବିଧାନ କେବେ ମଧ୍ୟ ଧର୍ମଗ୍ରନ୍ଥ ହୋଇନପାରେ । କାରଣ ଧର୍ମଗ୍ରନ୍ଥରେ ବିଭିନ୍ନ ପ୍ରକାର ଭେଦ ରହିଛି । ହେଲେ ସମ୍ବିଧାନରେ କୌଣସି ପ୍ରକାର ଭେଦ ନାହିଁ । ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି । ସାଂପ୍ରତିକ ସମୟରେ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ । ଅନ୍ୟ ବକ୍ତାମାନେ ମଧ୍ୟ ସମ୍ବିଧାନ ସଚେତନତା ଓ ସୁରକ୍ଷାକୁ ନେଇ ମତ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସରୁ ଅଧ୍ୟୟନ ସମାପ୍ତି କରି ଫେରିଥିବା ନରସିଂହ ମିଶ୍ରଙ୍କ ପୌତ୍ର ଅମର୍ତ୍ତ ମିଶ୍ର, ରଜନିକାନ୍ତ ସାମରଲିଆ, ପରଦେଶୀ ବିଶ୍ୱାଲ, ଅମର ସୁନା, ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ସରୋଜ ମେଶ୍ୱା, ତ୍ରିଲୋକ ମେହେର ଓ ଜିଲ୍ଲା ଦଳିତ ବିକାଶ ମଂଚର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।