ପତ୍ରାପାଲି ନିକଟରେ ଚଳନ୍ତା ପିକଅପ୍ ପଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ-ବଙ୍ଗୋମୁଣ୍ଡା ରାସ୍ତାର ପତ୍ରାପାଲି(କ)ଗ୍ରାମ କେନାଲ ନିକଟରେ ଚଳନ୍ତା ପିକଅପ୍ ପଛରେ ପିଟି ହୋଇ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ସିନ୍ଧେକେଲା ଥାନା ଠେମରା ପଞ୍ଚାୟତ ଜାମତରା ଗ୍ରାମର ଚମ୍ପେଶ୍ୱର ଭାଟି(୫୮)ବୋଲି ଜଣାପଡିଛି । ତାଙ୍କ ସହିତ ଥିବା ବାଇକ ଚାଳକ ଜଣଙ୍କ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଦୌଡ଼ି ଫେରାର ହୋଇଯାଇଥିଲେ । ଦୁଇ ବାଇକ୍ ଆରୋହୀ କୌଣସି କାମରେ ନିଜର ସ୍ପେଲଣ୍ଡର ବାଇକ୍ (ଓଡ଼ି ୨୬ ୮୩୧୧ )ଯୋଗେ ବଙ୍ଗୋମୁଣ୍ଡା ପଟରୁ ମୁରିବାହାଲ ପଟକୁ ଆସୁଥିଲେ । ସେହି ରାସ୍ତାରେ କଦଳୀ ଦେଇ ଫେରୁଥିବା ଏକ ପିକଅପ୍( ଓଡ଼ି ୦୩ ଏଡି ୧୦୮୫) ପୋଲ ନିକଟରେ ସାମାନ୍ୟ ଗତି ଧୀର କରିବାରୁ ପଛରୁ ଅତି ଦୃତ ଗତିରେ ଆସୁଥିବା ଦୁଇ ବାଇକ୍ ଆରୋହୀ ପିକଅପକୁ ପଛପଟୁ ଜୋରରେ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ବାଇକ ପଛରେ ବସିଥିବା ଚମ୍ପେଶ୍ୱରଙ୍କ ମୁଣ୍ଡ ଓ ମୁହଁରୁ ପ୍ରଚୁର ରକ୍ତସ୍ରାବ ହୋଇ ଶୋଚନୀୟ ମୃତ୍ୟୁ ଘଟିଥିଲା । ବାଇକର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ସାମାନ୍ୟ ଆହତ ଚାଳକ ଘଟଣା ସ୍ଥଳରୁ ଦୌଡ଼ି ଫେରାର ହୋଇଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ମୁରିବାହାଲ ଥାନା ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିଥିଲା । ଏ ସମ୍ପର୍କରେ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସନାତନ ସାହୁ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.