ପାଟଣାଗଡ : ପାଟଣାଗଡ଼ ବ୍ଲକ ଦାବକାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ଗୃହରେ ୬ଟି ଶ୍ରେଣୀର ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଏନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ବାରମ୍ବାର ଶିକ୍ଷା ବିଭାଗ ଓ ବ୍ଲକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରାଥମିକ ବିଦ୍ୟାଳୟଟି ଅଞ୍ଚଳର ଏକ ପୁରୁଣା ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ିବା ପାଇଁ ସୁବିଧା ରହିଛି । ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ନୂତନ ଭାବେରେ ଶିଶୁ ବାଟିକାକୁ ସଂଯୋଗ ଅଧ୍ୟୟନ କରିଛନ୍ତି । ତେବେ ସ୍କୁଲରେ ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବାରୁ ପୂର୍ବରୁ ମଧ୍ୟ ପାଠପଢ଼ାରେ ବ୍ୟାଘାତ ହେଉଥିଲା । ଗୋଟିଏ ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ବର୍ତ୍ତମାନ ତାହା ବର୍ଷା ଯୋଗୁ ଭୁଶୁଡି ପଡ଼ିଛି । ବର୍ତ୍ତମାନ ସ୍କୁଲ ପରିସରରେ ଥିବା ଗୋଟିଏ ଶ୍ରେଣୀ ଗୃହରେ ୬ ଗୋଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ଏକାଠି ବସି ପାଠ ପଢୁଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଏକ ଛୋଟ କୋଠରୀ ଭିତରେ ୬ ଟି ଶ୍ରେଣୀର ୩୮ ଜଣ ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢୁଥିବା ବେଳେ ପାଠପଢାରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଶିକ୍ଷକମାନେ ଅଭିଯୋଗ ଆଣିଛନ୍ତି । ତେଣୁ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ଅନୁରୋଧ କରିଛନ୍ତି ।
