
କଣ୍ଟାବାଞ୍ଜି : ବ୍ରେକ୍ ଫେଲ୍ ହୋଇ ଦୋକାନ ଭିତରକୁ ଧସେଇ ପଶିଲା ଟ୍ରକ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଳ ଫାଟକ ପାଖରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଶୁକ୍ରବାର ସକାଳେ ଏକ ମାଲ୍ ବୋଝେଇ ଟ୍ରକ୍ ବଙ୍ଗୋମୁଣ୍ଡା ପଟୁ କଣ୍ଟାବାଞ୍ଜି ଆସୁଥିଲା। ପ୍ରାୟ ୮ଟା ବେଳେ ଟ୍ରକ୍ଟି କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡା ରେଳ ଫାଟକ ପାଖରେ ପହଞ୍ଚିଲା ବେଳକୁ ଗାଡିର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଡ୍ରାଇଭରଙ୍କ ପ୍ରଚେଷ୍ଟା ସତ୍ତ୍ଵେ ଗାଡିକୁ ଅଟକାଇ ପାରିନଥିଲେ । ଟ୍ରକଟି ପଛକୁ ଗଡି ଗଡି ଯାଇ କିଛି ଦୋକାନରେ ଘସି ହେବା ସହ ଏକ ମାଲ୍ବାହୀ ରିକ୍ସା ଉପରେ ଚଢି ଯାଇଥିଲା । ଫଳରେ ରିକ୍ସାଟି ଚୁରମାର୍ ହୋଇଯାଇଥିଲା । ରେଳ ଫାଟକ ନିକଟରେ ଅନେକ ଥର ଏଭଳି ଛୋଟ ଛୋଟ ଦୁର୍ଘଟଣା ଘଟୁଛି । ବର୍ଷେ ଆଗରୁ ଏକ ରୋଲରର ବ୍ରେକ୍ ଫେଲ୍ ହେବା ଯୋଗୁଁ ଜଣେ ମହିଳା ଚାପି ହୋଇ ପ୍ରାଣ ହରାଇଥିଲେ ।