ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ କଠୋର ହେବା ଏବଂ ବେଆଇନ୍ ବାଲି ଓ ପଥର ଖଦାନରେ ଚଢ଼ଉ କରି ଖନନ ଉପରେ ରୋକ୍ ଲଗାଇବା ପାଇଁ ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଥିଲେ । ଏନେଇ ବଲାଙ୍ଗିର ଜିଲ୍ଲା ବିଭିନ୍ନ ଥାନାରେ ବେଆଇନ ବାଲି ଓ ପଥର ଚାଲାଣ ଉପରେ ରୋକ ଲଗଇବାକୁ ପୋଲିସ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଛି । ଇ- ଟ୍ରାଞ୍ଜିଟ ପାସ୍ ବିନା ବେଆଇନ ଖଣିଜ ପଦାର୍ଥ ପରିବହନ ହେଉଥିଲେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ । ଏନେଇ ରବିବାର ଖପ୍ରାଖୋଲ ପୋଲିସ ଗୋଟିଏ ବେଆଇନ ବାଲି ଚାଲାଣ ହେଉଥିବା ଗୋଟିଏ ଟ୍ରାକ୍ଟର ନଂ ଓଡି ୦୩ପି ୧୫୮୨କୁ ଜବତ କରିଛି । ସୂଚନା ଅନୁଯାୟୀ ରବିବାର ସକାଳ ସମୟରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ଧଣ୍ଡାମୁଣ୍ଡା ଛକ ନିକଟରେ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଥିଲେ । ପଚରାଉଚରା କଲା ପରେ ବାଲି ଚାଲାଣ କରୁଥିବାର କୌଣସି କାଗଜପତ୍ର ନଥିଲା । ଗାଡି ମାଲିକକୁ ନୋଟିସ କରି ଛାଡି ଦେଇଥିବା ବେଳେ ଟ୍ରାକ୍ଟରକୁ ଜବତ କରାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୫୬/୨୦୨୫ରେ ଭାରତୀୟ ପେନାଲ କୋର୍ଡ ଧାରା ୩୦୩(୨)/୬୧(୨) ବିଏନ୍ଏସ୍ଆର୍ଡବ୍ଲୁ ୫୧(୧) ଓଏମ୍ଏମ୍ସି ଅଧିନିୟମ ୨୦୧୬ ଅନୁଯାୟୀ ଗୋଟିଏ କେସ୍ ଋଜୁ ହୋଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।